ନିଆଁରେ ଘିଅ ଢାଳୁଛି ବିଦୁ୍ୟତ୍ କାଟ୍ : କଲବଲ ହେଉଛନ୍ତି ଉପଭୋକ୍ତା

 ବ୍ରହ୍ମବରଦା : ବର୍ତମାନ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗିରହିଥିବା ବେଳେ ରସୁଲପୁର ବ୍ଲକ ବ୍ରହ୍ମବରଦା ବିଦୁ୍ୟତ୍ ସେକ୍ସନ୍ ଅଞ୍ଚଳରେ ଅଘୋଷିତ ବିଦୁ୍ୟତ କାଟ ଘିଅରେ ନିଆଁ ଢ଼ାଳିବା ପରି ହୋଇଛି । ଅସହ୍ୟ ଗରମରେ ଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକେ ତାପରେ ସେକି ହେଇଯାଉଛନ୍ତି । ତା ସାଙ୍ଗକୁ ଘଣ୍ଟା ଘଣ୍ଟା ବିଦୁ୍ୟତ୍ କାଟ୍ ଉପଭୋକ୍ତାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଟାଟା ବିଦୁ୍ୟତ୍ ବିଭାଗ କେବଳ ବିଲ ଆଦାୟକୁ ଗୁରୁତ୍ୱ ଦେଉଥିବା ସ୍ଥଳେ ସଠିକ ବିଦୁ୍ୟତ୍ ସରବରାହ ପ୍ରତି ଧ୍ୟାନ ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି । ବାରମ୍ବାର ଅଘୋଷିତ ବିଦୁ୍ୟତ କାଟ ଓ ଲୋ-ଭୋଲଟେଜ ସମସ୍ୟାକୁ ଦୂର କରିବା ପାଇଁ ବ୍ରହ୍ମବରଦା ଅଞ୍ଚଳରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ଏକ ସବଷ୍ଟେସନ ସ୍ଥାପନ କରାଯାଇ ଇତି ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି  । ଉପଭୋକ୍ତା ମାନଙ୍କ ଧାରଣା ଥିଲା କି ସବଷ୍ଟେସନ  କାର୍ଯ୍ୟକ୍ଷମ ପରେ ଆଉ ପୂର୍ବପରି ବିଦୁ୍ୟତ କାଟ ହେବନି କି ସମସ୍ୟ ରହିବ ନାହିଁ । କିନ୍ତୁ ଫଳ ହେଲା ଓଲଟା । ଏଠାରେ ବିଦୁ୍ୟତ୍ କାଟ ସମସ୍ୟା ସୁଧୁରିବା ପରିବର୍ତେ ଦିନକୁ ଦିନ ଆହୁରି ସଙ୍ଗିନ ହେବାରେ ଲାଗିଛି । ସାମାନ୍ୟ ବର୍ଷା କିମ୍ୱା ହାଲକା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ କାଟ କରାଯାଉଛି । ଗୋଟିଏ ପଟେ ଖରାଦିନେ ଲୋକେ କଲବଲ ହେଉଥିବା ବେଳେ ଟାଟା ବିଦୁ୍ୟତ୍ ବିଭାଗର ଅଘୋଷିତ ବିଦୁ୍ୟତ କାଟ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଛି  । ତୁରନ୍ତ ବିଦୁ୍ୟତ କାଟ ସମସ୍ୟାକୁ ସମାଧାନ କରିବା ପାଇଁ ଉପଭୋକ୍ତା ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି ।