ଘର ପଛପଟେ ବ୍ଲାଷ୍ଟିଂ : କମ୍ପାନୀ ଫାଟକ ଆଗରେ ବସିଲେ ଗାଁ ଲୋକେ

 କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରେ ଥିବା ଟାଟା କମ୍ପାନୀର କମର୍ଦା ଖଣି ଫାଟକକୁ ସ୍ଥାନୀୟ ଲୋକେ ବନ୍ଦକରି ବସିଥିଲେ । କଅଁସ ପଞ୍ଚାୟତ ଅନ୍ତର୍ଗତ କମର୍ଦା ମୁଣ୍ଡାସାହିର ସମସ୍ତ ଗ୍ରାମବାସୀ ବିଭିନ୍ନ କାରଣକୁ ନେଇ ଏହା କରିଥିଲେ । କମର୍ଦା ମୁଣ୍ଡା ସାହି ନିକଟରେ ଥିବା ଟାଟା କମ୍ପାନୀର ଖଣିରେ ହେଉଥିବା ବ୍ଲାଷ୍ଟିଂକୁ ନେଇ ଏହି ସମସ୍ୟା ଉପୁଜିଛି । ଗାଁ ଲୋକଙ୍କ କହିବା ଅନୁଯାଇ ଗାଁର ଅଧିକାଂଶ ଘରର ଖୁବ ନିକଟରେ ଏହି ଖଣି ରହିଥିବା ଯୋଗୁଁ ଖଣିରେ ବ୍ଲାଷ୍ଟିଂ ହେଲେ ଘର ଗୁଡିକ ସିଧା ସଳଖ କ୍ଷତିଗ୍ରସ୍ତ ହେଉଛି । ଏହି କାରଣରୁ ଗାଁର ଅଧିକାଂଶ ଘରର ମାଟିକାନ୍ଥ ଗୁଡ଼ିକ ଫାଟି ଯାଇଛି । ଉକ୍ତ ସମସ୍ୟାକୁ ନେଇ ଗାଁ ଲୋକେ ଅନେକ ଥର କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ଉଦ୍ୟମ କରାଯାଉନି । ଯାହାକୁ ନେଇ ସକାଳେ ଗାଁର ସମସ୍ତ ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ କମ୍ପାନୀ ଫାଟକକୁ କିଛି ସମୟ ଅବରୋଧ କରି ରଖିଥିଲେ । ଖବର ପାଇ କାଳିଆପାଣି ପୁଲିସ ଘଟଣା ସ୍ଥଳକୁ ପହଁଚି ସ୍ଥିତି ନିୟନ୍ତ୍ରଣ କରିଥିଲା । କିନ୍ତୁ ପରଦା ପଛର କାହାଣୀ କିଛି ଅଲଗା । କଥା ହେଉଛି ଉକ୍ତ ଖଣିଟି ଅର୍ଥାତ କମର୍ଦା କ୍ରୋମାଇଟ ଖାଦାନଟି ବିଗତ ଦିନରେ ବିସି ମହାନ୍ତି ଆଣ୍ଡ ସନ୍ସ ନାମରେ ଥିଲା । ଯାହାକୁ ଉକ୍ତ କମ୍ପାନୀଟି ସେଠାରେ ୧୯୫୬ ମସିହାରୁ କାର୍ଯ୍ୟକ୍ଷମ ଥିଲା । ସେହି ଖଣିରେ କଅଁସ ପଞ୍ଚାୟତର ସାରୁଆବିଲି, କମର୍ଦା, କମର୍ଦା ମୁଣ୍ଡା ସାହି ଓ ହାତୀହୁଡି ଭଳି ଗାଁ ଗୁଡିକର ଲୋକେ ପ୍ରାୟତଃ କାମ କରୁଥିଲେ । କିନ୍ତୁ ଯେବେ ଠାରୁ ବିସି ମହାନ୍ତି ଆଣ୍ଡ ସନ୍ସ କମ୍ପାନୀ ବନ୍ଦ ହୋଇଗଲା ସେବେ ଠୁ ଉକ୍ତ ଗାଁ ଗୁଡିକର ଲୋକେ ଜୀବିକା ହରାଇଥିଲେ । ୨୦୧୯ ମସିହା ପରଠାରୁ ଟାଟା କମ୍ପାନୀ ଉକ୍ତ ଖଣିଟିର ମାଲିକାନା ହାତକୁ ନେଇଥିଲା ସେବେ ଠାରୁ ଅସଲ ଖେଳ ଆରମ୍ଭ ହୋଇଥିଲା । ଟାଟା କମ୍ପାନୀ କମର୍ଦା ଖଣିରେ ଉତ୍ପାଦନ ଏବଂ ସମ୍ପ୍ରସାରଣ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ସହମତି ଲୋଡ଼ିଥିଲା ଏବଂ ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ ବିଭାଗ ପକ୍ଷରୁ ଜନଶୁଣାଣୀ ଆୟୋଜିତ ହୋଇଥିଲା । ସେହି ଜନଶୁଣାଣୀରେ ଟାଟା କମ୍ପାନୀକୁ ଖଣି ଖୋଲିବା ଏବଂ ସମ୍ପ୍ରସାରଣ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ସହମତି ପ୍ରକାଶ କରିଥିଲେ । କିନ୍ତୁ କାଳକ୍ରମେ ସୁକିନ୍ଦା ରାଜନୀତିରେ ପଟ ପରିବର୍ତନ ହେବା ଦ୍ୱାରା ଟାଟା କମ୍ପାନୀର ଖଣି କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗକୁ ନେଇ ଜଟିଳ ସମସ୍ୟା ଉପୁଜିବା ଆରମ୍ଭ ହୋଇଛି । କମର୍ଦା ଖଣିଟି ଏହା ପୂର୍ବରୁ ସମ୍ପୂର୍ଣରୂପେ ଶ୍ରମିକ ମାନଙ୍କ ଦ୍ୱାରା ଖନନ ପ୍ରକ୍ରିୟା ସଞ୍ଚାଳିତ ହେଉଥିଲା ।  ଏବେ ଟାଟା କମ୍ପାନୀ ଏହାକୁ ମେସିନ ଦ୍ୱାରା ସଞ୍ଚାଳନ କରୁଛି । ଉକ୍ତ ଖଣିଟିରେ ବିସି ମହାନ୍ତି କମ୍ପାନୀ ଦ୍ୱାରା ହଜାର ହଜାର ଶ୍ରମିକ ନିୟୋଜିତ ଥିଲା ବେଳେ ବର୍ତମାନ ତାହା ସମ୍ଭବପର ହେଉନାହିଁ । କାରଣ ଇତିମଧ୍ୟରେ ସରକାରଙ୍କ ଦ୍ୱାରା କମ୍ପାନୀ ନିୟମରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି ଏବଂ ଏତଦ୍ୱାରା ଉଭୟ ଖଣି ଶ୍ରମିକ ଏବଂ କମ୍ପାନୀ ମାନଙ୍କ ପ୍ରତି ଲାଭକ୍ଷତିର ମୂଲ୍ୟାଙ୍କନ କରାଯାଇଛି । ତେବେ ସମସ୍ୟା ହେଲା କମର୍ଦା ମୁଣ୍ଡାସାହିର ଗାଁଟି ସମ୍ପୂର୍ଣ ଆଦିବାସୀ ଶ୍ରେଣୀର । ଅଧିକାଂଶ ଗରିବ ଆଦିବାସୀ ପରିବାରର ଘର ଗୁଡିକ ମାଟି କାନ୍ଥ ଏବଂ ଆଜବେଷ୍ଟ ଛପରରେ ନିର୍ମିତ । ଖଣି ଠାରୁ ମାତ୍ର ୨୦ମିଟର ଦୂରରେ ଏହି ଘର ଗୁଡିକ ରହିଥିବାରୁ ଖଣି ଭିତରେ ଡିନାମାଇଟ ବିସ୍ଫୋରଣ ହେଲେ ଏହାର ପ୍ରଭାବରେ ମାଟି କାନ୍ଥ ଗୁଡିକ ଦୋହଲି ଯାଉଛି । ଖଣିରୁ ପଥର ଖଣ୍ଡ ଉଡି ଆସି ଆଜବେଷ୍ଟ ଭାଙ୍ଗି ଦେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳ, ସୁକିନ୍ଦା ତହସିଲଦାର ଏବଂ ଟାଟା କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଦେଇ ଆସୁଛନ୍ତି ।
 ତେବେ କୌଣସି ସୂତ୍ରଉ ଗାଁ ଲୋକେ ଖବର ପାଇଥିଲେ ଯେ ଟାଟା କମ୍ପାନୀ ପକ୍ଷରୁ ଉକ୍ତ ଖଣିରେ ବିସ୍ଫୋରଣ କରିବାକୁ ଯାଉଛି । ଗାଁର ସମସ୍ତ ଯୁବକ ଯୁବତୀ ମହିଳା ପୁରୁଷ ଏକତ୍ରିତ ହୋଇ କମ୍ପାନୀର ଖଣି ଫାଟକ ଆଗରେ ଧାରଣାରେ ବସିଥିଲେ । ଖଣି ଭିତରେ କୌଣସି ପ୍ରକାର ବିସ୍ଫୋରଣ କରାଇ ଦେବୁ ନାହିଁ ବୋଲି ଜିଦ ଧରି ବସିଥିଲେ । ଟାଟା କମ୍ପାନୀର ବରିଷ୍ଟ ଅଧିକାରୀ ଘଟଣା ସ୍ଥଳକୁ ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଗାଁ ଲୋକେ ଏହାକୁ ଆଗ୍ରହ୍ୟ କରି ଏକ ଲିଖିତ ଚୁକ୍ତିନାମା ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ସର୍ବଶ୍ରୀ ଜେମାଦାର ବାନାରା, ଚନ୍ଦ୍ର ବାନାରା, ବିରବଲ ଦାସ, ବିଶ୍ୱନାଥ କିସ୍କୁ, ସନ୍ଦୀପ କିସ୍କୁ, ଲକ୍ଷୀରାମ କିସ୍କୁ, ସଞ୍ଜୟ ବଦ୍ରା, ମାତା ହାଁସଦା, କନକ ବାନାରା, ରିସା ଚାମ୍ପିୟା, କୁନି ହାଁସଦା, ରୁକ୍ମଣୀ ନାୟକ ପ୍ରମୁଖ କମ୍ପାନୀ ଆଗରେ ଜିଦ ଧରି ବସିଥିଲେ କ୍ଷ ତେବେ ଶେଷରେ ଅତ୍ୟଧିକ ଖରା ତାପରେ ଅଧିକ ସମୟ ଧରି ଲୋକମାନେ ସେଠାରେ ରହି ନପାରିବାରୁ ଏହାର କୌଣସି ସମାଧାନ ହୋଇପାରି ନଥିବା ଜଣାପଡିଛି ।