ଘର ମାଲିକାଣୀ ଠାରୁ୧୦ ଲକ୍ଷ ଚଳୁ ; ଭଡାଟିଆ ଗିରଫ

ଭୁବନେଶ୍ୱର, ୨୪ା୮ : ମାଛ ବ୍ୟବସାୟ ନାଁରେ ଘର ମାଲିକାଣୀ ଠାରୁ ୧୦ ଲକ୍ଷ ଟଙ୍କା ଚଳୁ କରି ରାତାରାତି ଫେରାର ହେଲା ଭଡ଼ାଟିଆ ଠକ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଠକକୁ ଖୋର୍ଦ୍ଧା ଜଙ୍କିଆରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଛତ୍ରପଦାର ତପନ କୁମାର ଦଳେଇ ଓରଫ ଟୁଲୁ ଦଳେଇ । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଭରତପୁର ଥାନା ଅଧିନ ଶ୍ୟାମପୁର ଗ୍ରାମରୁ ଜଣେ ଘର ମାଲିକଙ୍କ ଠାରୁ ସମାନ ଢ଼ଙ୍ଗରେ ମାଛ ବ୍ୟବସାୟ ନାଁରେ ୮ ଲକ୍ଷ ଟଙ୍କା ଚଳୁ କରି ସେଠାରୁ ମଧ୍ୟ ରାତାରାତି ଫେରାର ହୋଇଯାଇଥିଲା । ଏନେଇ ଅଭିଯୁକ୍ତ ନାଁରେ ୪ରୁ ଅଧିକ ଠକେଇ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଅଭିଯୁକ୍ତ ଟୁଲୁ ଦଳେଇ ଓ ତା ସ୍ତ୍ରୀ କୁନି ଦଳେଇ ପାତ୍ରପଡ଼ା ସୁଆଁଙ୍ଗ ଗ୍ରାମର ହରପ୍ରୀୟା ପାତ୍ରଙ୍କ ଘରେ ୨୦ ଦିନ ହେବ ଭଡ଼ାରେ ରହିଥିଲେ । ଅଭିଯୁକ୍ତ ଜଣେ ବଡ଼ ମାଛ ବ୍ୟବସାୟ ବୋଲି ଘର ମାଲିକଙ୍କୁ କହି ରହିବା ସହ ଡିପୋରୁ ମାଛ ଉଠାଇବାକୁ କହି ଘର ମାଲିକଙ୍କ ଠାରୁ ଗତ ଜୁଲାଇ ୨୫ ତାରିଖ ଦିନ ୫ ଲକ୍ଷ ଟଙ୍କା ଧାର ଆକାରରେ ନେଇଥିଲେ । ପରେ ପୁଣି ୫ ଲକ୍ଷ ୨୦ ହଜାର କରି ମାଲିକକୁ ଫେରାଇ ଦେଇଥିଲେ ସ୍ୱାମୀ ସ୍ତ୍ରୀ । ଯାହାଫଳରେ ଘା ମାଲିକର ବିଶ୍ୱାସ ଯୋଗ୍ୟ ହୋଇ ପୁଣି ଦୁଇ ଦିନ ପରେ ଘର ମାଲିକାଣୀଙ୍କୁ ୧୦ ଲକ୍ଷ ଟଙ୍କା ଅର୍ଜେଣ୍ଟ ଆକାରରେ ମାଗିଥିଲା । ହେଲେ ମାଲିକାଣୀ ନିକଟରେ ଏତେ ଟଙ୍କା ନଥିବାରୁ ସେ ତାଙ୍କ ଛୁଆ ନାଁରେ ଥିବା ଫିକ୍ସ ଡ଼ିପୋଜିଟ୍, ଆରଡ଼ିକୁ ବ୍ୟାଙ୍କରୁ ଭାଙ୍ଗି ୧୦ ଲକ୍ଷ ଟଙ୍କା ହାତାହାତି ଦେଇଥିଲେ । ଟଙ୍କା ପାଇବା ପରେ ଅଭିଯୁକ୍ତ ଓ ତାର ସ୍ତ୍ରୀ ରାତାରାତି ମାଛ ଆଣିବାକୁ ଯାଉଥିବା ବାହାନା କରି ଫେରାର ହୋଇଯାଇଥିଲେ । ସକାଳୁ ଘଟଣା ଜାଣିବା ପରେ ଅଭିଯୁକ୍ତ ତାର ମୋବାଇଲ ଫୋନ୍ ବନ୍ଦ ରହିଛି । ଏନେଇ ଗତ ୨ ତାରିଖ ଦିନ ଘର ମାଲିକାଣୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇ ମୋବାଇଲ ବନ୍ଦ ରଖିଥିଲା । ହେଲେ ପୁଲିସ ଅଭିଯୁକ୍ତର ମୋବାଇଲକୁ ଟ୍ରାକିଂରେ ପକାଇ ଅଭିଯୁକ୍ତ କେବେ ମୋବାଇଲ ଅନ୍ କରୁଛି ତାକୁ ଜଗି ରହିଥିଲା ଟିମ । ଗତକାଲି ଅଭିଯୁକ୍ତର ମୋବାଇଲ ଅନ୍ ପରେ ପୁଲିସ ଟିମ ମୋବାଇଲ ଲୋକେସନ୍ ଦ୍ୱାରା ଖୋର୍ଦ୍ଧା ଜଙ୍କିଆରେ ପହଞ୍ଚି ଠକକୁ କାବୁ କରିବାରେ ସଫଳ ହୋଇଛି । ପରେ ତାକୁ ଭୁବନେଶ୍ୱର ଆଣି ଆଜି ଦୁଇ ଟି ଠକେଇ ମାମଲାରେ କୋର୍ଟ ଚାଲାଣ କରିଛି । ହେଲେ ଅଭିଯୁକ୍ତ ଠାରୁ କୌଣସି ଟଙ୍କା ଜବତ କରିପାରିନାହିଁ ପୁଲିସ । ଅଭିଯୁକ୍ତ ଟଙ୍କା କେଉଁଠାରେ ଲୁଚାଇ ରଖିଛି ସେ ନେଇ ମୁହ ନଖୋଲିଥିବାରୁ ତାକୁ ଖଣ୍ଡଗିରି ପୁଲିସ ତାକୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ବୋଲି ଥାନା ଅଧିକାରୀ ଅଭିମନୁ୍ୟ ଦାସ ସୂଚନା ଦେଇଛନ୍ତି ।