ଚତୁର୍ଥ ଥର ପାଇଁ ଆୟୋଜିତ ହେବ : ଡିସେମ୍ବର ୯ରୁ ଓଡ଼ିଶା ମାଷ୍ଟର୍ସ ବିଡବ୍ଲ୍ୟୁଏଫ
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼ରେସନ, ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଏବଂ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ଓଡିଶାରେ ଚତୁର୍ଥ ଥର ପାଇଁ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ।
କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ବନ୍ଧରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ୨୨ଟି ଦେଶ - ଭାରତ, ଫିନଲ୍ୟାଣ୍ଡ, ହଙ୍ଗକଙ୍ଗ ଚାଇନା, ଶ୍ରୀଲଙ୍କା, ମ୍ୟାଲେସିଆ, ଇଜରେଲ, ଜାପାନ, ସ୍ପେନ, ଇଜିପ୍ଟ, ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଥାଇଲାଣ୍ଡ, ବଲଗେରିଆ, ଚାଇନିଜ-ତାଇପେଇ, ୟୁଏଇ, ଉଗାଣ୍ଡା, ସାଉଦି ଆରବିଆ, ଭେନେଜୁଆଲା, ରସିଆ, ବାଙ୍ଗଲାଦେଶର କ୍ରୀଡାବିତ୍ମାନେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କରିବେ । ୨୨ଟି ଦେଶରୁ ୪୦୦ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏଥିସହ ଡ଼ିସେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍ର ଆୟୋଜନ କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯିବ । ଅଣ୍ଡର-୧୫ ଓ ଅଣ୍ଡର-୧୭ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସାରା ଦେଶରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୭୫୦ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଓଡ଼ିଶାରୁ ଅଣ୍ଡର-୧୫ ଓ ଅଣ୍ଡର-୧୭ ଟିମ୍ରେ ମୋଟ ୨୫ଜଣ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ବୋଲି କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ୍, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ ।