ଚାପକ୍ରୀଡ଼ାରେ ମା'ଭଗବତୀ କାଠି ଠାକୁରାଣୀ
ବାଣପୁର : ଗୋପାଳପୁର ମାଜଣାପୁଷ୍କରିଣୀରେ ଆରମ୍ଭହେଲା ମା'ଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ବାଜା ରୋଶଣୀ ଘଣ୍ଟ ଘଣ୍ଟ କାହାଳୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳ ହୁଳି ଧ୍ୱନୀରେ ଆରମ୍ଭ ହେଲା ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା'ଭଗବତୀଙ୍କ ପ୍ରସିଦ୍ଧ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ନରେନ୍ଦ୍ର ପୁଷ୍କରିଣୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଦେବା ଦେବୀଙ୍କ ସହିତ ଚାପ କ୍ରୀଡ଼ା ଓ ଭଉଁରୀ ଯାତ୍ରା କଲା ପରି ବାଣପୁରର ବଙ୍କାଡ଼ଗଡ଼ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଠଶାସନରୁ ଗୋପାଳପୁର ଶାସନର ପବିତ୍ର ମାଜଣା ପୁଷ୍କରିଣୀରେ କାହିଁ କେଉଁ କାଳରୁ ମା'ଭଗବତୀ କାଠି ଠାକୁରାଣୀଙ୍କ ଚନ୍ଦନ ଓ ଚାପଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ଚାଲି ଆସିଛି । ବୈଶାଖ ଶୁକ୍ଳ ତୃତୀୟା ପବିତ୍ର ଅକ୍ଷୟତୃତୀୟା ଭାବରେ ପରିଚିତ ଏହି ଦିନଠାରୁ ପ୍ରଚଣ୍ଡ ରୌଦ୍ରତାପରୁଦେବା ଦେବୀଙ୍କୁ ଶୀତଳ ଉପଚାର ପ୍ରଦାନ କରିବା ପାଇଁ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଖଞ୍ଜା ଯାଇଛି । ତନ୍ମଧ୍ୟରୁ ଦେବା ଦେବୀ ପ୍ରତିମାଙ୍କ ଶରୀରରେ ଚନ୍ଦନ ଲେପନ, ଚନ୍ଦନ କର୍ପୁର, ଅଗୁରୁ ମିଶ୍ରିତ ସୁବାଷିତ ପୁଷ୍ପ ପରିପୂର୍ଣ୍ଣ ଶୀତଳ ଜଳକୁଣ୍ଡରେ ଅବସ୍ଥାନ ଏବଂ ପୁଷ୍କରିଣୀରେ ନୌବିହାର ଜଳକ୍ରୀଡା ସହିତ ଶୀତଳ ମଣୋହୀ ସୁମଧୁରଫଳ ସହିତ ଛେନାପଣା ମଣୋହୀ ମାନବୀୟ ଲୀଳାର ଏକ ଏକ ପରିପ୍ରକାଶ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ଏହି ଯାତ୍ରା ଜ୍ୟୋଷ୍ଠ କୃଷ୍ଣ ଅଷ୍ଟମୀରେ ଶେଷ ହୁଏ । ଦୀର୍ଘ ୨୧ ଦିନ ଧରି ଏହି ଯାତ୍ରା ଉକ୍ରଳରେ ଚନ୍ଦନ ଯାତ୍ରା ଭାବରେ ପରିଚିତ । ମା'ଭଗବତୀଙ୍କ ମନ୍ଦିରରେ ପାଳିତ ଏହି ଯାତ୍ରା ଓଡ଼ିଶାର ଶକ୍ତିପୀଠରେ ପାଳିତ ଯାତ୍ରା ଠାରୁ ସଂପୂର୍ଣ୍ଣ ନିଆରା । ଗୋପାଳପୁର ଶାସନ ଗ୍ରାମବାସୀଙ୍କ ନିମନ୍ତ୍ରଣ ପତ୍ର ପାଇ ଏହି ପୀଠରେ କେବଳ ମା'ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱାଶ୍ୱରୀ କାଠି ଠାକୁରାଣୀ ଶେଷ ତିନିଦିନ ହେବାକୁଥିବା ଭଉଁରୀ ଯାତ୍ରାକୁ ସାଥିରେ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀ ଗୋପୀନାଥ ଦେବ, ଶ୍ରୀରଙ୍କ ନାଥ ଦେବଙ୍କ ସହିତ ଥାଟ ପଟୁଆର ବାଜାରୋଶଣୀରେ ମାଜଣା ପୁଷ୍କରିଣୀକୁ ବିଜେ କଲାବେଳେ, ସ୍ଥାନାଧିପତି ଗୋପାଳପୁର ଶାସନର ଆରଧ୍ୟ ଠାକୁର ବାଲୁଙ୍କେଶ୍ୱର ଦେବ, କପିଳେଶ୍ୱର ଦେବ ତାଙ୍କୁ ପାଛୋଟି ନେଇଥିଲେ । ପରେ ମାଜଣା ମଣ୍ଡପରେ ମା' ବିଜେ କଲା ପରେ କୋଟ ବିଦ୍ୟାଧରପୁର ଶାସନର ବିଜେ ନୀଳକଣ୍ଠେଶ୍ୱର ଦେବ, ପାଟପୁର ଶାସନର ବିଜେ ଗୋପୀନାଥ ଦେବ ମା' କନକଦୁର୍ଗା ଏହି ମଣ୍ଡପକୁ ପଦାର୍ପଣ କରିବାପରେ ସମସ୍ତ ଦେବାଦେବୀଙ୍କୁ ଶୋଡ଼ଷ ଉପଚÿାରରେ ଶୀତଳ ମଣୋହୀଅର୍ପଣ କରାଯାଇଥିଲା । ପୁଷ୍କରିଣୀରେ ସୁସଜ୍ଜିତଚାପ ଦେହରେ ଉପବେଶନ କରି ମା' ସମସ୍ତ ଦେବାଦେବୀଙ୍କ ସହିତ ସାତଥର ପରିକ୍ରମା କରିବା ପରେ ପୁଣି ମାଜଣା ମଣ୍ଡପକୁ ବିଜେ କରି ଚନ୍ଦନ କୁଣ୍ଡରେ ଅବସ୍ଥାନ କରିଥିଲେ । ସେଠାରେ ପୁଣି ଶୀତଳମଣୋହୀ ସହିତ ଆଳତି ବଢିବିଳମ୍ବିତ ରାତିରେ ପିତ୍ରାଳୟଦକ୍ଷେଶ୍ୱର ମନ୍ଦିରକୁ ବାହୁଡ଼ିଥିଲେ । ଏହି ଯାତ୍ରା ଶୃଙ୍ଖଳିତ ଭାବରେ ଶେଷ ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି ।