ଦଦରା ପାଲଟିଲାଣି ବିଞ୍ଝାରପୁର-ସିଂହପୁର ରାସ୍ତା : ଠିକାଦାରଙ୍କ ସୁରକ୍ଷା କବଚ ସାଜିଛି ପୂର୍ତ୍ତ ବିଭାଗ
ଯାଜପୁର: ପାଞ୍ଚ କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ଯୋଗାଇ ଦିଆଯାଇଥିଲା ୪କୋଟି ଟଙ୍କା । ଏ’ କ୍ଲାସ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏ’ କ୍ଲାସ ଠିକାଦାର ନିର୍ଦ୍ଧାରିତ ସମୟ ବଦଳରେ ବିଳମ୍ବରେ କାର୍ଯ୍ୟ ଆରମ୍ଭ କଲେ । ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିବା ଠିକାଦାର ଆରମ୍ଭରୁ ହିଁ ନିମ୍ନମାନର କାର୍ଯ୍ୟ କଲେ । ଏ ଅଭିଯୋଗ ସ୍ତାନୀୟ ଲୋକେ କରି ବିଭାଗୀୟ ଯନ୍ତ୍ରୀ ଏବଂ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କଲେ । ହେଲେ ଯନ୍ତ୍ରୀ କି ବିଭାଗୀୟ ବଡ଼ବାବୁ ମାନେ କର୍ଣ୍ଣପାତ କଲେନି । ଏ’ କ୍ଲାସ ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟକୁ ତଦାରକ କରିବା ବଦଳରେ ଘଣ୍ଟ ଘୋଡ଼ାଇ ଚାଲିଲେ । ଫଳରେ କାର୍ଯ୍ୟ ଶେଷ ହେବାର ମାତ୍ର ୮ମାସରେ ପିଚୁ ଉଠିଗଲା । ‘ଏ କ୍ଲାସ ଠିକାଦାରଙ୍କ ଏ’ କ୍ଲାସ କାର୍ଯ୍ୟ, ଆଠ ମାସରେ ଉଠିଗଲା ପିଚୁ ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ତା୧୫ା୫ା୨୪ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଏ’କ୍ଲାସ ଠିକାଦାର ଉଠିଯାଇଥିବା ପିଚୁକୁ ପ୍ୟାଚ ପକାଇଦେଲେ । ହେଲେ ପୁଣି ଆଠ ମାସ ପରେ ରାସ୍ତା ଦଦରା ପାଲଟିବାକୁ ବସିଲାଣି । ସିଂହପୁର କଲେଜ ଛକ ଚିତ୍ର କେବଳ ଗୋଟିଏ ପ୍ରମାଣ ନୁହେଁ ବିଞ୍ଝାରପୁର-ସିଂହପୁର ପାଞ୍ଚ କି.ମି ରାସ୍ତାର ଅନେକ ସ୍ଥାନରେ ଏହା ଦେଖିବାକୁ ମିଳୁଛି । ହେଲେ ଏ’କ୍ଲାସ ଠିକାଦାରଙ୍କ ଏ’କ୍ଲାସ କାର୍ଯ୍ୟକୁ ପୂର୍ତ୍ତ ବିଭାଗ ପାଣିକୋଇଲି ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ହେଉ କି ବିଞ୍ଝାରପୁର ଉପଖଣ୍ଡ ଉପ ନିର୍ବାହୀ ଯନ୍ତ୍ରୀ କି କାର୍ଯ୍ୟାଳୟ ବାବୁ ମାନେ ଆଖି ବୁଜି ବସିଛନ୍ତି । ଆମେ କହୁଛୁ ପାଣିକୋଇଲି ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତିର କଥା । ଏହି ବିଭାଗ ଅଧିନ ଏବଂ ଉପଖଣ୍ଡ ଉପ ନିର୍ବାହୀଯନ୍ତ୍ରୀ ବିଞ୍ଝାରପୁର ଅନ୍ତର୍ଗତ ବିଞ୍ଝାରପୁର-ସିଂହପୁର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯାଇଛି । ଠିକାଦାରଙ୍କ ମନଇଛା କାର୍ଯ୍ୟରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ପିଚୁ ଉଠି ଗୋଡ଼ି ବାହାରିନି ରାସ୍ତା କେତେ ଦଦରା ତାହା ଜଳଜଳ ହେଇ ଦେଖାଯାଉଛି । ପୂର୍ତ୍ତ ବିଭାଗର ଠିକାଦାର ପ୍ରୀତିରୁ ସରକାରୀ ଅର୍ଥ ତୋଷରପାତ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।