ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ

ରାଜନଗର : ଚାଲିଛି କୁମ୍ଭୀର ପ୍ରଜ୍ଜନନ ଋତୁ । ରାଜନଗର ବନଖଣ୍ଡ ପକ୍ଷରୁ କୁମ୍ଭୀର ବସା ଗଣନା ଚାଲୁ ରହିଛି । ରାଜନଗର ବନଖଣ୍ଡର କନିକା ବନାଂଚଳ (ରେଂଜ)ରେ ମୋଟ ୯୫ଟି କୁମ୍ଭୀର ବସା ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । କନିକା ରେଂଜରେ ମୁଖ୍ୟତଃ ଭିତରକନିକା ଫରେଷ୍ଟ ବ୍ଲକ, ରଗଡାପାଟିଆ ଫରେଷ୍ଟ ବ୍ଲକ, ଚିନ୍ତାମଣି ମହାନ୍ତି ଯୋର ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକରେ ସର୍ବାଧିକ ବସା ଚିହ୍ନଟ ହେବାରେ ଲାଗିଛି । ସାଧାରଣତଃ କୁମ୍ଭୀରମାନେ ଏହି ସମୟରେ ଅଧିକ ହିଂସ୍ର ହୋଇ ଉଠିଥାନ୍ତି । ସେଥିପାଇଁ ମେ ପହିଲାରୁ ଜୁଲାଇ ୩୧ଯାଏ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକାକୁ ଆସିବା ପାଇଁ ବାରଣ କରାଯାଇଥାଏ । ସୂଚନା ଥାଉକି, ଅପ୍ରେଲ ମାସରେ ମା କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । କୁମ୍ଭୀର ପ୍ରଜନନ ଋତୁକୁ ଆଖି ଆଗରେ ରଖି ପର୍ଯ୍ୟଟକଙ୍କୁ ଭିତରକନିକା ଆସିବା ପାଇଁ ବାରଣ କରାଯାଇଥାଏ । ମା କୁମ୍ଭୀର ନଦୀଠାରୁ କିଛି ଦୂରରେ ହେ"ାଳ, କେଉଟି, ନାଳିଆ ପତ୍ରକୁ ଗଦାକରି ତା ମଧ୍ୟରେ ଅଣ୍ଡା ଦେଇ ପୁନର୍ବାର ପତ୍ର ଘୋଡାଇ ଦେଇଥାଏ । ତାକୁ ମାଉଁଟ କୁହାଯାଏ । ମା କୁମ୍ଭୀର ଏହି ସମୟରେ ନିର ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ତା ନିକଟରେ ଜଗି ରହିଥାଏ । ସାଧାରଣତଃ ଗୋଧି, ବିଭିନ୍ନ ପ୍ରଜାତିର ସାପ, ମାଙ୍କଡ, ବାରହା ଇତ୍ୟାଦି ତା ଅଣ୍ଡାକୁ ଖାଇଯାଇଥାନ୍ତି ।