ଚାଷ ଜମିରେ ପାଉଁଶ ପକାଇବାକୁ ବିରୋଧ
ତାଳଚେର: ଶିଳ୍ପାଞ୍ଚଳ ତାଳଚେରରେ ବିଭିନ୍ନ ପ୍ରକାର ଶିଳ୍ପ ସଂସ୍ଥା ସହ କୋଇଲା ଖଣି ଖାଦାନ ରହିଛି । ଫଳରେ ଏହି ଅଞ୍ଚଳ ବିଶେଷ ଭାବେ ପ୍ରଦୂଷିତ । କୋଇଲା ଖଣି ଦ୍ୱାରା ଧୂଳିଧୂଆଁ ହେଉଥିବା ବେଳେ ଏନଟିପିସି ଓ ଜେଆଇଟି ପିଏଲ ଦ୍ୱାରା ମଧ୍ୟ ଅନୁରୂପ ଭାବେ ଜଳ ଜମି ପ୍ରଦୂଷିତ ହେଉଛି । ଶିଳ୍ପ ସଂସ୍ଥାର ବର୍ଯ୍ୟ ବସ୍ତୁ ରାସାୟନିକ ପଦାର୍ଥ, ତେଲ ଇତ୍ୟାଦି ଟିକିରା ନଦୀ ନନ୍ଦିରା ଜୋର ମାଧ୍ୟମରେ ବ୍ରାହ୍ମଣୀ ନଦୀରେ ମିଶୁଛି । ଯାହାଦ୍ୱାରା ନଦୀଜଳ ଦୂଷିତ ହେଉଛି । ତେବେ ଏବେ ସାଂଘାତିକ ଭାବରେ ଏନ୍ଟିପିସି ଓ ଜେଆଇଟିପିଏଲ କମ୍ପାନୀରୁ ବାହାରୁଥିବା ଦୂଷିତ ପାଉଁଶ ଏଣେତେଣେ ପକାଇବା ନେଇ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଏଥିପାଇଁ କଣିହାଁ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ବିରୋଧ କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ଅନୁଯାୟୀ, ଏହି ଦୁଇ କମ୍ପାନୀରୁ ନିର୍ଗତ ବିଷାକ୍ତ ପାଉଁଶ ସରକାରଙ୍କ ନିୟମ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଲାଗିବାର ପ୍ରାବଧାନ ରହିଛି । କିନ୍ତୁ କିଛି ଅସାଧୁ ପରିବହନକାରୀ ସଂସ୍ଥା କେତକ ଦଲାଲଙ୍କୁ ଧରି ଉକ୍ତ ବିଷାକ୍ତ ପାଉଁଶକୁ ରାସ୍ତା କାମରେ ନ ଲଗାଇ ଚାଷ ଜମି କିଛି ସରକାରୀ ଓ ବେସରକାରୀ ଖାଲି ସ୍ଥାନରେ ପକାଇ ଦେଉଛନ୍ତି । ସାଧାରଣ ଭାବେ ଏହା ଗୋଡିବନ୍ଧ କଂସମୁଣ୍ଡା, କଣିହାଁ ,ଦୁମୁଦୁମା, ଆମ୍ବପାଳ ଭୁଇଁପୁର ଟାକୁଆ ମସୁଣୀହତା ବଲାଂଗୀ ଇତ୍ୟାଦି ଗ୍ରାମ ଗୁଡିକର ଜମିବାଡ଼ି ଓ ରାସ୍ତା କଡରେ ଖୋଲାମେଲାରେ ପକାଯାଉଥିବା କଣିହାଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ବର୍ଷାରେ ଏହି ବିଷାକ୍ତ ପାଉଁଶ ଧୋଇ ହୋଇ ଅନ୍ୟ ଚାଷ ଜମିକୁ ମାଡି ଯାଇ ଜମିର ଉର୍ବରତା ନଷ୍ଟ ହେଉଛି । ଏଥିସହିତ ପବନରେ ଉଡି ବାୟୁମଣ୍ଡଳ ମଧ୍ୟ ଦୂଷିତ ହୋଇ ଲୋକଙ୍କ ପାଇଁ ମାରାତ୍ମକ ରୋଗ ଯଥା ଯକ୍ଷ୍ମା, ହୃଦଘାତ, କ୍ୟାନ୍ସର ଭଳି ରୋଗର କାରଣ ପାଲଟିଛି । ଏହାକୁ ବିରୋଧ କରି ଉକ୍ତ ଗ୍ରାମର ଲୋକମାନେ ସ୍ଥାନୀୟ ତାଳଚେର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ପାଉଁଶକୁ ଲଗାଯାଉ । ଏବଂ ଆଗାମୀ ଦିନରେ ଯଦି ବେନିୟମ ଅନୁଯାୟୀ ବିଷାକ୍ତ ପାଉଁଶକୁ ଏଣେତେଣେ ପକାଯାଏ, ତେବେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।