ମଦ ସହ ଗାଡି ଜବତ, ୩ କୋର୍ଟଚାଲାଣ
ଖଇରା: ବେଆଇନ ମଦ ବିକ୍ରି କରିବା ଅଭିଯୋଗରେ ଖଇରା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତିମାନେ ହେଲେ ମହମ୍ମଦ ପପୁ, ବିକାଶ କୁମାର ଓ କନିଲ ପାଶୱାନ । ସମସ୍ତଙ୍କ ଘର ବିହାରର ଔରଙ୍ଗାବାଦ ଓ ରୋହତକ ଜିଲ୍ଲାରେ । ସେମାନଙ୍କ ନିକଟରୁ ୪ଶହ ଲିଟର ଦେଶୀ ମଦ ସହ ଗାଡି ଜବତ କରାଯାଇଛି । ଗତ ସୋମବାର ରାତିରେ ସୋର-କୁପାରୀ ରାସ୍ତାରେ ମଦ ବିକିବାକୁ ନେଉଥିବାବେଳେ ଖଇରା ଥାନା ଏଏସଆଇ ଗୌରହରି ବୁଗୁଡାଇ ସଦଳବଳେ ତାଙ୍କୁ ଗିରଫ କରିବା ସହ ସେମାନଙ୍କ ନାମରେ ଏକ ମାମଲା(୪୦/୨୫) ରୁଜୁ କରିଥିଲେ । ଅନ୍ୟପକ୍ଷରେ ଏହି ଘଟଣାକୁ ମିଶାଇ ଗତ ୧ମାସ ମଧ୍ୟରେ ପାଖାପାଖି ୪ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ୬ରୁ ଅଧିକ ଲୋକଙ୍କୁ କୋର୍ଟଚାଲାଣ କରି ଖଇରା ପୁଲିସ ରେକର୍ଡ ସୃଷ୍ଟି କରିଛି । ଏବେ ଖଇରା ଅଞ୍ଚଳରେ ଦେଶୀ ମଦ କାରବାରରେ ଏକ ର୍ୟାକେଟ ସକ୍ରିୟ ଥିବା ବେଳେ ସେମାନଙ୍କୁ ଧରିବାକୁ ଖଇରାବାସୀ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି ।