ବ୍ରହ୍ମାକୁମାରୀ ତୁଳସୀ ମଞ୍ଜରୀଙ୍କୁ ଶ୍ରଦ୍ଧାଞ୍ଜଳି
ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ହଇସ୍କୁଲ ପାଟଳିପୁରାର ପ୍ରାକ୍ତନ ଛାତ୍ରୀ ତଥା ଶାନ୍ତି ପ୍ରଭା ପବ୍ଲିକ ସ୍କୁଲ, ମାଣତ୍ରୀର ପ୍ରାକ୍ତନ ଶିକ୍ଷୟିତ୍ରୀ ବ୍ରହ୍ମାକୁମାରୀ ତୁଳସୀ ଦୁର୍ଗାଙ୍କର ପଞ୍ଚମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ପାଟଳିପୁରା ସ୍ଥିତ ଗୀତା ପାଠଶାଳାର ସଂଚାଳିକା ବିକେ ମମତାଙ୍କର ସଂଯୋଜନାରେ ଏବଂ ବିକେ ପ୍ରେମଲତାଙ୍କର ସଭାପତିତ୍ୱରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମୟୂରଭଞ୍ଜର ମୁଖ୍ୟ ସଂଚାଳିକା ବିକେ ସାବିତ୍ରୀ ମୁଖ୍ୟବକ୍ତା ଭାବେ ବିକେ ବନୀତା ଯୋଗଦାନ କରିଥିଲେ । ଦ୍ୱିତୀୟ ଅଧିବେଶନର ସଭାପତିତ୍ୱକରିଥିଲେ ବରିଷ୍ଠ ରାଜ ଯୋଗୀ ଭାସ୍କରଚନ୍ଦ୍ର ଦୁର୍ଗା ଏଥିରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ବାଲିପାଳ ଗୀତା ପାଠଶାଳାର ମୁଖ୍ୟ ସଂଚାଳିକା ବିକେ "ଉଷା’ ଯୋଗଦାନ କରି କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟବକ୍ତା କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ସରକାରୀ ହାଇସ୍କୁଲ ଶିକ୍ଷକ ଡ. ରମାକାନ୍ତ ମହାନ୍ତ ଯୋଗଦାନ କରି କହିଲେ ଯେ, ତୁଳସୀ ମଞ୍ଜରୀ ଦୁର୍ଗା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ବ୍ରହ୍ମାକୁମାରୀ, ଶିକ୍ଷୟିତ୍ରୀ, ନୃତ୍ୟଗୁରୁ ଏବଂ ସମାଜସେବୀ ଥିଲେ । ବିଶିଷ୍ଟବକ୍ତା ସ୍କୁଲ ଆଲୁମିନୀ ସଭାପତି ସର୍ବେଶ୍ୱର ମହାନ୍ତି, ଡ. ଧ୍ରୁବ ଚରଣ ପ୍ରଧାନ, ବିକେ ହେମଲତା, ବିକେ ସୁନାମଣି ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ତୁଳସୀ ଦେବୀଙ୍କର ବହୁମୁଖୀ ପ୍ରତିଭାର ଗୁଣ ଗାନ କରି ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ବିକେ ସ୍ନେହଲତା, ମାହେଶ୍ୱରୀ, ମଦନ, ଜୟନ୍ତ କୁମାର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ମହାନ୍ତି ।