ଧର୍ମକୁ ଆଖିଠାର ; ଇନ୍ଷ୍ଟ୍ରିମ ବ୍ୟାରେଜକୁ ସୁରକ୍ଷା ଦେଉଛି ଦୁଇ ଖଣ୍ଡ ବାଉଁଶ
ସେଲ୍ଫି ପଏଣ୍ଟ ପାଲଟିଛି ‘ଇନଷ୍ଟ୍ରିମ’ ବ୍ୟାରେଜ ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ଗଲାମାସ ୨୪ ତାରିଖରେ ପ୍ରକାଶ ପାଇଥିଲା । ଖବରର ଉଦ୍ଦେଶ୍ୟ ଥିଲା ଅଘଟଣ ଘଟିଲେ ଦାୟୀ ରହିବ କିଏ । ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି ସତ କିନ୍ତୁ ତାହା ଧର୍ମକୁ ଆଖିଠାର ମାରିବା ପରି ହୋଇଛି । ସେଲଫି ଉଠାଉଥିବା ମୋବାଇଲ ଧାରୀ ଯେଭଳି ବ୍ୟାରେଜ ଭିତରକୁ ଯାଇ ନପାରିବେ, ସେଭଳି କୈାଣସି ସ୍ଥାୟୀ ବ୍ୟବସ୍ଥା ନକରି ଦୁଇଖଣ୍ଟି ବାଉଁଶ ବାନ୍ଧି ଦିଆଯାଇଛି । ଯେକେହିବି ବାଉଁଶ ଦେଇ ବ୍ୟାରେଜକୁ ଯାଇପାରିବ, ଏବଂ ସେଲଫି ନେଇପାରିବ ଏହା ଜଳଜଳ ହେଇ ଦେଖାଯାଉଛି । ଏହା ହିଁ ଦେଖିବାକୁ ମଧ୍ୟ ମିଳୁଛି । ସୁରକ୍ଷାକୁ ମାନିବାକୁ ନାରାଜ ସେଲଫି ମାନିଆ । ବନ୍ୟା ପ୍ରଭାବିତ ଯୋଗୁଁ ବୈତରଣୀ ନଦୀରେ ପ୍ରବଳପାଣି । କେତେ ବେଳେ କିଛି ବି ଦୁର୍ଘଟଣା ଜନିତ ଘଟଣା ଘଟିପାରେ । ଯାଜପୁର ଜିଲାର ଅନେକ ପର୍ଯ୍ୟଟନ ସ୍ଥଳରେ ସେଲଫି ନେବାର ଦୃଷ୍ଟି ଗୋଚର ହୋଇଥାଏ । ଏପରି ବନ୍ୟା ସମୟରେ ବି ଅନେକ ସେଲଫି ନେବାକୁ ଦୈାଡ଼ି ଆସୁଛନ୍ତି । ବର୍ତ୍ତମାନ ବୈତରଣୀ ନଦୀ ଜଳସ୍ରୋତକୁ ପଛ କରି ସେଲ୍ଫି ନିଆଯାଉଛି । ଆଉ ସେଲଫି ପଏଣ୍ଟ ଭାବେ ଇନଷ୍ଟ୍ରିମ ବ୍ୟାରେଜକୁ ଯୁବକ ଯୁବତୀ ଚୟନ କରିଛନ୍ତି । ଯାହା ଯାଜପୁର ସହରର ବରାହନାଥ ଠାରେ ବୈତରଣୀ ନଦୀ (ସପ୍ତମାତୃକା ମନ୍ଦିର) ନିକଟରେ ରହିଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ବ୍ୟାରେଜଟିର ସୁରକ୍ଷାରେ ଦୁଇ ଖଣ୍ଡ ବାଉଁଶ ନିୟୋଜିତ କରାଯିବା କେତେଦୂର ଯଥାର୍ଥେ । ବିଡମ୍ବନାର ବିଷୟ ଏହି ଇନ୍ଷ୍ଟ୍ରିମ ବ୍ୟାରେଜଟି ନିର୍ମାଣ ସମୟରେ ଏହାର ସୁରକ୍ଷା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନି । କାରଣ ବ୍ୟାରେଜର ବିଭିନ୍ନ ସ୍ଥାନରେ ଯୁବକଯୁବତୀ ଫଟୋ ପୋଜ୍ ନେଉଥିବା ସମୟରେ ସେମାନେ ନିଜର ସୁରକ୍ଷା ପ୍ରତି ଆଦୌ ଧ୍ୟାନ ରହୁନଥିବା ଦେଖିବାକୁ ମିଳେ । ଜଳସମ୍ପଦ ବିଭାଗର ଅଧିକାରୀ କିଭଳି ଖାମଖିଆଲ ରହୁଛନ୍ତି, ତାହା ଦୁଇଖଣ୍ଡି ବାଉଁଶ ହିଁ ସ୍ପଷ୍ଟ କରୁଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି କରାଯାଇଛି ।