ଚାଷୀଙ୍କ ସମସ୍ୟା ନେଇ ଗଣଧାରଣା
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ । ଅଧିକାଂଶ ସମୟରେ ଗୋଲାମୁଣ୍ଡା ବ୍ଲକରେ ମରୁଡି ସ୍ଥିତି ଦେଖାଦେଇଥାଏ । ବିଭିନ୍ନ ସମୟରେ ଗୋଲାମୁଣ୍ଡା ବ୍ଲକରେ ଜଳସେଚନର ବ୍ୟବସ୍ଥା ନ ଥିବା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏ ନେଇ ଜନ ସଂଗ୍ରାମ ସମିତିର ଆହ୍ୱାନକ୍ରମେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ସାଉଲ ମଙ୍ଗରାଜ ଜନ ସଂଗ୍ରାମ ସମିତିର ସଭାପତିଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦାବିଗୁଡିକ ମଧ୍ୟରେ ଗତ ବର୍ଷ ମୁଗ ବାବଦର ବୀମା ରାଶି ଚାଷୀ ମାନଙ୍କୁ ଶୀଘ୍ର ପ୍ରଦାନ କରାଯାଉ, ଉଦନ୍ତୀ ନଦୀରେ ବ୍ୟାରେଜ ନିର୍ମାଣ କରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଜଳସେଚନ ବ୍ୟବସ୍ଥା କରାଯାଉ ଏବଂ ଇନ୍ଦ୍ରାବତୀ କେନାଲ ଯୋଗେ ନିର୍ମିତ ହୋଇଥିବା କେନାଲର ଭୁଲ୍ ଡିଜାଇନ୍ ଯୋଗୁଁ ବୃନ୍ଦାବାହାଲ ଅଞ୍ଚଳ ଚାଷୀ ଜଳସେଚନ ପାଇଁ ପାଣି ପାଇ ପାରୁନାହାନ୍ତି, ସେଥିପାଇଁ କେନାଲ ନିର୍ମାଣ କାରୀ ଠିକା ସଂସ୍ଥା ଓ ସଂପୃକ୍ତ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ବୃନ୍ଦାବାହାଲ ଠାରୁ ଆସିଥିବା କେନାଲର ସଂପ୍ରସାରଣ କରାଯାଉ ଆଦି ଉଲ୍ଲେଖ ରହିଛି । ଏହି ଧାରଣାରେ ଜନ ସଂଗ୍ରାମ ସମିତି ସଂପାଦକ ଅନିଲ କୁମାର ମଲ୍ଲିକଙ୍କ ସମେତ, କୃଷ୍ଣଚନ୍ଦ୍ର ମୁଣ୍ଡ, ଘନ ରଣା, ଦିଲୀପ ମାଝୀ, ଅଗସ୍ତି ମାଝୀ, ଦାଉତ ହରପାଳ, ମାଧବ ମାଝୀ, ମଧୁ ମାଝୀ, ଅବତାର ଧାରୁଆ, ଜଗନ୍ନାଥ ମାଝୀ, ରେଙ୍ଗା ମାଝୀ, ଅର୍ଜୁନ ମୁଣ୍ଡ, ଅସାରୁ ମାଝୀ, ଭଜନ ମାଝୀ, ଗୋବଦ୍ଧନ ଛତ୍ରିଆ ପ୍ରମୁଖ ସାମିଲ ହୋଇଥିଲେ । ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଜନ ସଂଗ୍ରାମ ସମିତି ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ।