ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ଭୋଗ ଆସିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି କରାଯାଇଥିଲା । ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ଏହି ଅବସରରେ ମାଙ୍କ ନିକଟରେ ନୂଆ ଚାଉଳ ସହ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି। ଏହା ପରେ ଲୋକେ ନିଜ ନିଜ ଘରେ କୁଳ ଦେବଦେବୀଙ୍କୁ ନୂଆଭୋଗ ଲାଗି କରି ନିଜେ ନୂଆ ଖାଇବେ । ଏହି ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟ ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିବେ। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିବା ବେଳେ କୌଣସି ଭକ୍ତ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ଗୋଟିଏ ଦନା କାନିକା ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି ।