ଚିକିତ୍ସାଳୟରେ ସ୍ୱଚ୍ଛତାର ଅଭାବ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୧୯୫୯ରୁ ବାଜିଚୌକ ନିକଟରେ ପ୍ରତିଷ୍ଠିତ ହୋଇ ୨୦୧୮ରେ ୭ମହଲା ବିଶିଷ୍ଟ ନୂତନ ପ୍ରାସାଦକୁ ସ୍ଥାନାନ୍ତରିତ ହୋଇଥିଲା । ଆଗକୁ ମେଡିକାଲ୍ କଲେଜ୍ରେ ପରିଣତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତଦନୁଯାୟୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣମୂଳକ କାର୍ଯ୍ୟ ଅବ୍ୟାହତ ରହିଛି । ଇତିମଧ୍ୟରେ ସିଟି ସ୍କାନ୍ ମେସିନ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ଏସବୁ ଭିତରେ ଡାକ୍ତରଖାନାର ସ୍ୱଚ୍ଛତା ରକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ରମବର୍ଦ୍ଧିଷ୍ଣୁ ପରିଚାଳନା ବିଶେଷକରି ସ୍ୱଚ୍ଛତା ରକ୍ଷା ଆଦି କାର୍ଯ୍ୟକ୍ରମ ପାଇଁ ହାସ୍ପାତାଲ ପ୍ରବନ୍ଧକ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । କିନ୍ତୁ ବଡ ଦୁଃଖର ବିଷୟ ପ୍ରତ୍ୟହ ଶହଶହ ବ୍ୟକ୍ତି ଯାଉଥିବା ପରିଶ୍ରାଗାର ଓ ଶୌଚାଳୟର ସ୍ୱଚ୍ଛତା ଆଦୌ ରଖାନଯାଇ ଓଲଟି ଏହାକୁ ଏକ ପରିଶ୍ରା ସଂକ୍ରମଣସ୍ଥଳୀରେ ପରିଣତ କରାଯାଇଛି । ଶୌଚାଳୟ ଭିତରେ ଗନ୍ଧରେ ନାକ ଫାଟି ପଡୁଛି । ପରିଶ୍ରାଗରରେ ପରିସ୍ରା ପରେ ପାଣି ଛଡାଯିବା ବ୍ୟବସ୍ଥା ଅଚଳ । ପୁରୁଷ ଶୌଚାଳୟର ଫ୍ଲସ୍ ଟାଙ୍କି, ଶୌଚ ହେବା ସାୱାର ସଂଯୋଗ ଆଦି ବିଚ୍ଛିନ୍ନ ହୋଇ ପଡିଛି । ଥରେ ଚକ୍ଚକ୍ ହୋଇ ଠିକାଦାର ବିଲ୍ କରି ପଇସା ପାଇଗଲେ ତା'ପରେ ସବୁ ବନ୍ଦ । ଏହାର ତତ୍ୱାବଧାରକ କିଏ ବୋଲି ପ୍ରଶ୍ନ ଉଠୁଛି । ସରକାରୀ ଅନୁଦାନର ଅଭାବ ନାହିଁ । ଅଥଚ ରୋଗୀ ଏବଂ ତାଙ୍କ ସହାୟକ ଉପକୃତ ହେବା ଭଳି ସର୍ବନିମ୍ନ ଆବଶ୍ୟକତା ପୂରଣ କରାଯାଇ ନାହିଁ । ଏଥିପାଇଁ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଦୃଷ୍ଟି ଦେବାକୁ ସମିତିର କାର୍ଯ୍ୟକାରୀ ସଭ୍ୟ ପ୍ରଦୁ୍ୟମ୍ନ ରଥ ନିବେଦନ କରିଛନ୍ତି ।