ଆଦିବାସୀଙ୍କ ଜମିକୁ ମାଡି ବସିଛି କ୍ରସର ୟୁନିଟ୍ 

 ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ କଷ୍ଟିପାଳ ଓ ଶ୍ରିମନ୍ତପୁର ଗ୍ରାମର ୬୩ ଟି ଆଦିବାସୀ ଭୂମିହୀନ ପରିବାରର ଘରଡିହ ଓ ଚାଷଜମିକୁ ମାଡ଼ିବସିଛି ମେଗା କ୍ରସର ୟୁନିଟ । ଦୀର୍ଘ ୩ ବର୍ଷ ଧରି ଏହି ଆଦିବାସୀମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ ନେତାଙ୍କୁ ଗୁହାରି କରିଥିଲେ ହେଲେ କେହି ଶୁଣୁ ନାହାନ୍ତି । ତେଣୁ ସେହି କ୍ରସର ୟୁନିଟକୁ ହଟାଇ ଆଦିବାସୀଙ୍କୁ ନ୍ୟାୟ ଦେବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପୂର୍ବତନ ବିଧାୟକ ନବିନ ନନ୍ଦ । ସୂଚନା ଅନୁଯାୟୀ,  ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗନ୍ଦିଆ ବ୍ଲକ   ନିହଲ ପ୍ରସାଦ ପଞ୍ଚାୟତର କଷ୍ଟିପାଳ ଓ ବଢ଼ଗା ପଞ୍ଚାୟତର ଶ୍ରୀମନ୍ତପୁର ଗ୍ରାମର ୬୩ ଟି ଭୂମିହୀନ ଆଦିବାସୀ ପରିବାରଙ୍କୁ ଘରଡିହ ଜମି ଓ ଚାଷ ଜମି ମିଳିଥିଲା । ଏହି  ସ୍ଥାନର ଅଳ୍ପ ଦୂରତାରେ ଉନ୍ନତ ମାନର କଳା ମୁଗୁନି ମିଳୁ ଥିବାରୁ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଜାଗା ଉପରେ ପଡିଥିଲା । ଏଠାରେ ଖୋଲିଥିବା ଜଗବନ୍ଧୁ ଏଣ୍ଟର ପ୍ରାଇଜରସ ନାମକ ଏକ କ୍ରସର୍ କମ୍ପାନୀ ବିଜେଡି ଦଳର କେତେକ ସ୍ଥାନୀୟ ନେତା ଓ ଜିଲ୍ଲା ପ୍ରଶାସନକୁ ହାତବାରିଶି କରି ସଂପୃକ୍ତ ଜମିକୁ ଜୋର୍ ଜବରଦସ୍ତ ଦଖଲ କରିନେଇଛି । ସେହି ଜମିକୁ ଫେରି ପାଇବା ପାଇଁ ଆଦିବାସୀମାନେ ଦୀର୍ଘ ୩ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ବିଫଳ  ହୋଇଛନ୍ତି । ନିଜର ହକ ପାଇଁ ସେମାନେ ତହସିଲ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଛନ୍ତି । ହେଲେ କେହି ତାଂକ କଥା ଶୁଣୁନାହାନ୍ତି  । ଆଶା କରିଥିଲେ ସରକାର ପରିବର୍ତ୍ତନ ହେଲା ପରେ ତାଙ୍କର ଦୁଃଖ ଲାଘବ ହେବ ।  କିନ୍ତୁ ସରକାର ପରିବର୍ତ୍ତନ ହେବାର ୬ ମାସ ପରେ ମଧ୍ୟ ପ୍ରଶାସନ ସେମାନଙ୍କ ଗୁହାରି ଶୁଣିଲେ ନାହିଁ  । ଗ୍ରାମ ର ୫୦ ମିଟର ଦୂର ରେ ସେହି କ୍ରସର୍ କମ୍ପାନୀ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରୁଛି । ବିସ୍ଫୋରଣ ଯୋଗୁଁ  ଆଖପାଖ ଅଂଚଳର ଘରଫାଟି  କ୍ଷୟକ୍ଷତି  ହେଉଛି । ଧୂଳିଧୂଆଁରେ ଅଂଚଳ ପ୍ରଦୂଷିତ ହେବାସହ  ଅନେକ ଲୋକ କିଡିନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି  । ପଞ୍ଚାୟତ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବିନା ଜନ ଶୁଣାଣିରେ ପୁନର୍ବାର ସେହି କମ୍ପାନୀକୁ ବିସ୍ଫୋରକ ଅନୁମତି ଓ ପରିବେଶ ଅନୁମତି ଗତ ଏପ୍ରିଲ ମାସରେ ଦେଇଛନ୍ତି । ସାଧାରଣ ଲୋକମାନଙ୍କ ଗୁହାରି କେହି ଶୁଣୁ ନଥିବାରୁ ଏହି ଘଟଣା ରେ ଓଡ଼ିଶାର  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ଗତ କିଛିଦିନ ତଳେ ସେହି ଗ୍ରାମକୁ ଶ୍ରୀ ନନ୍ଦ ଏକ ସାମାଜିକ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ଘଟଣାର ସରର୍ଜମିନ ତଦନ୍ତ କରି ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଦିବାସୀମାନଙ୍କ ଘରଡିହ ଓ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବାକୁ  ରାଜ୍ୟ ସରକାର ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ସଂପୃକ୍ତ କ୍ରସର୍ କମ୍ପାନୀକୁ ବସ୍ତି ନିକଟରୁ ଦୂରକୁ  ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି ।