ଚୋରା ବାଲି ଓ ମାଟି ମାଫିଆ ସକ୍ରିୟ

 ନିମାପଡା : ନିମାପଡାକୁ ସକାଳ ୮ଟା ରୁ ରାତି ୯ଟା ଯାଏଁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରାଯାଇଛି । ଅପରପକ୍ଷରେ ଏହି ଆଇନକୁ ନମାନି ବହୁମାତ୍ରାରେ ନିମାପଡାରୁ ବାଲି ମାଟି ଭଳି ଖଣିଜ ପଦାର୍ଥ ଦିନ ରାତି ଟ୍ରାକ୍ଟର, ହାଇୱାରେ ବାଲି ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି । ହାଇୱା ଓ ଟ୍ରାକ୍ଟର ଅନେକ ସମୟରେ ଚୋରା ବାଲି ଓ ମାଟି ନେଇ ଦ୍ରୁତ ଗତିରେ ଯିବା ଦ୍ୱାରା ଦୁର୍ଘଟଣା ମଧ୍ୟ ଘଟୁଛି । ଗତ ୬ମାସ ମଧ୍ୟରେ ଦୁର୍ଘଟଣାରେ ପ୍ରାୟ ୧୫ ରୁ ୨୦ ଟି ନିରିହ ଜିବନ ଅକାଳରେ ଝଡି ପଡିଛି ।

ନିମାପଡ଼ାର ଆଖ ପାଖ ଅଞ୍ଚଳରେ ଥିବା ଗୋଚର, ସରକାରୀ ଜମି ଓ କୁଶଭଦ୍ରା ନଦୀ ପଠାକୁ ଜେସିବି ଲଗାଇ ବାଲି ଓ ମାଟି ଖୋଳି ଚଢା ଦରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି ।ଯାହା ଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେବାସହ ପରିବେଶ ମଧ୍ୟ ଭାରସାମ୍ୟ ହରାଉଥିବା ଜଣାପଡିଛି । ନିମାପଡାରେ କୌଣସି ବାଲି ଘାଟ ସରକାରୀ ଭାବେ ଲିଜ୍ ଆକାରରେ ଦିଆଯାଇ ନଥିବା ବେଳେ ପ୍ରତିଦିନ ପଠାରୁ ହାଇୱା, ଟ୍ରକ ଓ ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ ବାଲି କାହା ନିଦେ୍ର୍ଦଶରେ ଚୋରା ଚାଲାଣ ହେଉଛି ବୋଲି  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ  ବିଭାଗୀୟ ଅଧିକାରୀଙ୍କୁ ନଦୀ କୁଳିଆ ଗ୍ରାମବାସିମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାହା ସ୍ୱାର୍ଥରେ ଚୁପ୍ ବସି ରହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଚୋରା ଚାଲାଣ ରୋକିବାକୁ ନିମାପଡା ଅଞ୍ଚଳବାସୀ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।