ଚୋରି ଛେଳି ବୋଝେଇ ପିକଅପ୍ ଉଦ୍ଧାର

ନୀଳଗିରି: ରାଜପଥରେ  ଛେଳି ବୋଝେଇ ପିକ୍ଅପ୍ ଭ୍ୟାନ ଲୁଟ୍ ଘଟଣାରେ ନୀଳଗିରି ଓ ବସ୍ତା ପୁଲିସ ସହଯୋଗରେ ନୀଳଗିରି ଅଞ୍ଚଳରୁ ଉକ୍ତ ଚୋରି ହୋଇ ଯାଇଥିବା ୨୫ଗୋଟି ଛେଳି ଏବଂ ପିକଅପ୍ ଭ୍ୟାନକୁ ଉଦ୍ଧାର କରାଯାଇ ବସ୍ତା ପୁଲିସକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଛେଳି ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ଗତକାଲି ଦୁର୍ବୃତ୍ତମାନେ ଲୁଟି ନେଇଥିଲେ । ମଙ୍ଗଳବାର ଭୋର ସମୟରେ ପଶ୍ଚିମବଙ୍ଗରୁ ଏକ ପିକଅପ ଭ୍ୟାନରେ ୧୨୦ଟି ଛେଳି ନେଇ ପୂରଭଞ୍ଜର ସେକ ଅବଦୁଲ କଲାମ ଆଜାଦ ମୟୂର ପାଇଲଟ ଛକ ଦେଇ ଅମର୍ଦ୍ଦ ନିକଟ ରାଜପଥରେ ଭଦ୍ରକ ଯାଉଥିଲେ । କୁଣ୍ଡପୁର ଛକ ନିକଟରେ ପଛ ଆଡୁ ଏକ ନମ୍ବର ବିହୀନ ବୋଲେରୋରେ ୫ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇ ଡ୍ରାଇଭର ସହ ଅନ୍ୟ ୨ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଗାଡ଼ିରେ ଥିବା ୩ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପକାଇ ଇ ପିକଅପ ଭ୍ୟାନ ସହ ଛେଳିକୁ ନେଇ ପଳାଇଯାଇ ଥିଲେ । ବସ୍ତା ପୁଲିସ ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ପୁଲିସ ରାସଗୋବିନ୍ଦପୁର ଅଞ୍ଚଳରୁ ଜଣେ ଯୁବକକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ତାପାଖରୁ ତଥ୍ୟ ଉଗାଳିଛି । ତଥ୍ୟ ଆଧାରରେ ନୀଳଗିରି ପୁଲିସ ସହଯୋଗରେ ବସ୍ତା ପୁଲିସ ନୀଳଗିରି ଉପଖଣ୍ଡ ଦକ୍ଷିଣ ନରସିଂହପୁର ଗ୍ରାମ ପଡିଆରୁ ୨୫ଟି ଛେଳି ସହିତ ଏକ ପିକ୍ଅପ୍ ଭ୍ୟାନ ଜବତ କରିଥିବା ଜଣାପଡ଼ିଛି ।