ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ
ନିଆଳି : ଅଡଶପୁର ଭାୟା ସିଠାଳ ବଛସାଇଲୋ ପୂର୍ତ୍ତବିଭାଗର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା ଉଭୟ ପାର୍ଶ୍ୱରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ, ଆଇଆଇସି ବିଜୟ କୁମାର ମଲିକ ଏକ ପ୍ଲାଟୁନ ଫୋର୍ସ ନେଇ କସର୍ଦ୍ଦା ଜାଗୁଳେଇ ମନ୍ଦିର ଠାରୁ ବୋତାଖାଲ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ ସମୟରେ ପ୍ରଶାସନ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କସର୍ଦ୍ଦା ଏଟିଏମ୍ ଛକ, କସର୍ଦ୍ଦା ଛକରେ ଥିବା ଔଷଧ ଦୋକାନ ଓ ବୋତଖାଲ ଛକରେ ଥିବା ସିମେଣ୍ଟ ଓ ରଙ୍ଗ ଦୋକାନ ସରକାରୀ ଜାଗାରେ ଦୁଇମହଲା କୋଠା ହୋଇଥିଲେ ମଧ୍ୟ ପ୍ରଶାସନ ଏହାକୁ ଭାଙ୍ଗିନାହିଁ । ଯେଉଁ ଜାଗାରେ ଦୁଇ ମହଲା କୋଠା ନିର୍ମାଣ ହୋଇଛି, ଉକ୍ତ ଜାଗାଟି କଣ୍ଟାପଡା ଜଳସେଚନ ବିଭାଗ ଅଧୀନରେ ହୋଇଛି । ତାହା ପୁଣି କେନାଲ ଉପରେ । ତେବେ ସେମାନେ ମୋଟା ଅଙ୍କର ଅର୍ଥ ଦେଇ ରାଜନେତାଙ୍କ ଛତ୍ରଛାୟା ତଳେ ରହିଛନ୍ତି ବୋଲି ଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ କୌଣସି ମତାମତ ଦେଉନାହାନ୍ତି । ଉଚ୍ଛେଦ ସମୟରେ ପୂର୍ତ୍ତ ବିଭାଗ କର୍ମଚାରୀ, ନିଆଳି ଥାନା ଏସଆଇ ଜଗନ୍ନାଥ ପାଣିଗ୍ରାହୀ, କସର୍ଦ୍ଦା ଫାଣ୍ଡି ଅଧିକାରୀ କଣ୍ଡୁରୀ ଚରଣ ଦାଶ, କସର୍ଦ୍ଦା ଆରଆଇ ଓ ନିଆଳି ଅତିରିକ୍ତ ତହସିଲଦାର ଦୁର୍ଯେ୍ୟାଧନ ସାହୁଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ରହିଥିଲେ ।