ସୁଭଦ୍ରା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
।ା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ (ଭାରପ୍ରାପ୍ତ) ଶୁଭଶ୍ରୀ ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଭାରପ୍ରାପ୍ତ) ତଥା ଡେପୁଟି କଲେକ୍ଟର ଗାୟତ୍ରୀ ସୋରେନଙ୍କ ସମେତ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଏହି ଯୋଜନା ସଂପର୍କରେ ପ୍ରଥମେ ଭଲ ଭାବେ ବୁଝି କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ସମସ୍ତ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ହିତାଧିକାରୀମାନେ ଯେପରି ସଠିକ୍ ସୂଚନା ପାଇବେ ଏବଂ ଆବେଦନ କରିପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ସଂପର୍କରେ ସୂଚନା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଏହି ଯୋଜନା ଅଧିନରେ ଆସୁଥିବା କୌଣସି ହିତାଧିକାରୀ ଯେପରି ସୁବିଧାରୁ ବାଦ୍ ନ ପଡିବେ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଯୋଜନା ଅନୁସାରେ ପ୍ରତ୍ୟେକ ହିତାଧିକାରୀ ୫୦,୦୦୦ଟଙ୍କାର ସହାୟତା ରାଶି ପ୍ରତି ବର୍ଷରେ ୧୦ହଜାର କରି ୫ବର୍ଷରେ ପାଇବେ । ପ୍ରତିବର୍ଷ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ହଜାର ଟଙ୍କା ହିତାଧିକାରୀମାନଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରେରଣ କରାଯିବ । ହିତାଧିକାରୀମାନଙ୍କ ବୟସ ୨୧ବର୍ଷ ବା ତଦୁର୍ଦ୍ଧ୍ୱ ଏବଂ ୬୦ବର୍ଷରୁ କମ୍ ହେଉଥିବ, ଆଧାର କାର୍ଡରେ ଉଲ୍ଲିଖିତ ବୟସ ଓ ଜନ୍ମତାରିଖ ବିଚାରକୁ ନିଆଯିବ, ଯୋଜନା ସଂପର୍କରେ ଏବଂ କେଉଁମାନେ ଏହି ଯୋଜନା ଅଧିନରେ ସହାୟତା ପାଇବାକୁ ଯୋଗ୍ୟ ଓ କେଉଁମାନେ ବାଦ୍ ପଡୁଛନ୍ତି ସେ ସଂପର୍କରେ ବିଷଦ୍ ମାର୍ଗଦର୍ଶିକା ବିଷୟରେ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ । କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ ଏବଂ ସେଠାରେ ଏହାର ଡିଜିଟାଇଜେସନ ହେବ ଓ ଆବେଦନକାରୀମାନଙ୍କୁ ଫର୍ମ ଦାଖଲର ପ୍ରମାଣ ସ୍ୱୀକୃତିର ପ୍ରିଣ୍ଟ ମିଳିବ । ଆବେଦନକାରୀଙ୍କୁ କୌଣସି ସ୍ତରରେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ହିତାଧିକାରୀମାନେ ସମସ୍ତେ ଯେପରି ସୁବିଧାରେ ଆବେଦନ କରିପାରିବେ, ସେଥିପାଇଁ ଯଥେଷ୍ଟ ସଂଖ୍ୟକ ଫର୍ମ ସୁବିଧା କରିବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବିଭିନ୍ନ ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରରେ ବିଭିନ୍ନ ପ୍ରମୁଖ ସ୍ଥାନରେ ହୋଡିଂ, ବ୍ୟାନର ଆଦି ଲଗାଯିବା, ସାମାଜିକ ଗଣମାଧ୍ୟମ ଓ ସମ୍ବାଦପତ୍ର ତଥା ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ ।