ମଧୁମେହର ମୁକାବିଲା ପାଇଁ ସଚେତନତା ଆବଶ୍ୟକ: ରାଜ୍ୟପାଳ

 ଭୁବନେଶ୍ୱର :  ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି ଓ ନିରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୂହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ରବିବାର ଦିନ ଏସସିବି ମେଡିକାଲ କଲେଜ ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ, ଓଡିଶା ଚାପ୍ଟରର ୧୩ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ୱାସ୍ଥ୍ୟ ସଚେତନାର ସଂସ୍କୃତି ସୃଷ୍ଟି ପାଇଁ ସାମୂହିକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି । ମଧୁମେହ ରୋଗକୁ ଏକ ନିରବ ମହାମାରୀ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଓ ଅର୍ଥନୀତିକୁ ପ୍ରଭାବିତ କରି ଭାରି ବୋଝ ପକାଇଥାଏ । 
ଏହି ରୋଗର ଜଟିଳତା ହୃଦରୋଗ ଓ ବୃକକ ବିଫଳତାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ହ୍ରାସ ଏବଂ ନୁ୍ୟରୋପାଥି ଇତ୍ୟାଦି ସମସ୍ୟା ସୃଷ୍ଟିର କାରଣ ହୋଇଥାଏ । ସନ୍ତୁଳିତ ପୁଷ୍ଟିସାର, ନିୟମିତ ବ୍ୟାୟାମ, ମାନସିକ ଚାପ ପରିଚାଳନା ଏବଂ ସମୟ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ । କର୍କଟ, ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ । 
ଏହି ସମାରୋହରେ ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର ବରିଷ୍ଠ ପରାମର୍ଶଦାତା ଡା ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡା  ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡା ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡା ସୁରେଶ କୁମାର ବଂଶଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡା ଜୟନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଂଗଠନିକ ସମ୍ପାଦକ ଡା ଦେବାର୍ଚ୍ଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ କୃତିତ୍ୱ ପାଇଁ ପ୍ରଫେସର ଡା ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆରଏସଏସଡିଆଇ ରୁରାଲ ଆଉଟରିଚ ପ୍ରୋଗ୍ରାମର ଶୁଭାରମ୍ଭ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।