ଜିଲ୍ଲାପାଳମାନଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ

ଜିଲ୍ଲାପାଳମାନଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ

ଭୁବନେଶ୍ୱର : ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ରହୁଥିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ  ଆଭାସୀ ବୈଠକ ମାଧ୍ୟମରେ ସମୀକ୍ଷା କରିଥିଲେ । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ସ୍ଥିତି ଉପସ୍ଥାପନ କରିଥିଲେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ମୋଟ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସମସ୍ତ କେନ୍ଦ୍ରଗୁଡ଼ିକ କ୍ଷେତ୍ର ପରିଦର୍ଶନ ସହିତ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା  ଆବଶ୍ୟକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତା ଥିବା ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

     ବୈଠକରେ ବିଧାୟକ ସ୍ଥାନୀୟ ଆଂଚଳିକ ଉନ୍ନୟନ ପାଣ୍ଠି ଯୋଜନା (ଏମଏଲଏଲାଡ ସ୍କିମ) କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜିଲ୍ଲା ପରିଷଦ ଓ ଜିଲ୍ଲା ପ୍ରକଳ୍ପ ତଦାରଖ ୟୁନିଟ୍‌ ମାନଙ୍କୁ ଉପଯୁକ୍ତ ସମନ୍ୱୟ କରି ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥ ମଂଜୁର ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା (ସିଏମ-ଏସ୍‌ଏ)  କାର୍ଯ୍ୟକାରିତାର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ପ୍ରତି ମାସରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟ ସମୀକ୍ଷା କରି ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ଏବଂ ସିଏମ-ଏସ୍‌ଏ  ୱେବ୍‌ ପୋର୍ଟାଲରେ  ତଥ୍ୟ ଅଦ୍ୟତନ କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଆହୁରି ମଧ୍ୟ ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକରିତା ନେଇ ଆଲୋଚନା କରାଯାଇଥିଲା । ୧୫ ଟି ଜିଲ୍ଲାରେ ଏହି ପ୍ରକଳ୍ପ ବିଶ୍ୱ ବ୍ୟାଙ୍କ ସହାୟତାରେ ରାଜ୍ୟ ଜଳସଂପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଛି । ଆହୁରି ମଧ୍ୟ  ଓଡ଼ିଶାରେ ସବୁଜ  ଜଳବାୟୁ ପାଣ୍ଠି (ଜିସିଏଫ) ପ୍ରକଳ୍ପର କାର୍ଯ୍ୟକାରିତାରେ ଜଳବାୟୁ ସହନଶୀଳ ଭିତ୍ତିଭୂମି ନିର୍ମାଣ ସଂପର୍କିତ ସମୀକ୍ଷା କରାଯାଇଥିଲା ।