ଜଗନ୍ନାଥ ସେନା ପକ୍ଷରୁ ଆନେ୍ଦାଳନ
ଅନୁଗୁଳ : ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ଏକ ଗଣ ଆନେ୍ଦାଳନର ଡାକରା ଦିଆଯାଇଥିଲା । ଏହି ଡାକରାରେ ଜିଲ୍ଲାର ବିଭିନ୍ନ ସାମାଜିକ,ଆଧ୍ୟାତ୍ମିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖ ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ମନ୍ଦିର ପରିଚାଳନା ସମିତିର ସମ୍ପାଦକ ହେମନ୍ତ ଦାଶ ଓ ଉପ ସଭାପତି ତଥା ବିଶେଷ ପୂଜା କମିଟି ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କ ସମେତ କାର୍ଯ୍ୟକାରୀ କମିଟି ଦାୟିତ୍ୱରେ ଥିବା ଅନ୍ୟ ସଦସ୍ୟ ମାନେ ଦୀର୍ଘ ବର୍ଷବର୍ଷ ଧରି ଗୋଟିଏ ପଦବୀରେ ରହିଥିବା ଯୋଗୁଁ ଅନ୍ୟାୟ ଓ ଦୁର୍ନୀତି ବୃଦ୍ଧି ହୋଇଥିବା ଅଭିଯୋଗ କରିଥିଲେ ।ଏପରିକି ମନ୍ଦିର ପରିଚାଳନା କମିଟି ପକ୍ଷରୁ ୨୦୦୪ ମସିହା ଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ସଧାରଣ ପରିଷଦ ବୈଠକ ନ ଡାକିବା,ବାର୍ଷିକ ଆୟ ବ୍ୟୟ ହିସାବ ନ ଦେବା ଆଦି ଅଭିଯୋଗ କରିବା ସହ ଏମାନଙ୍କୁ ତୁରନ୍ତ ବହିଷ୍କାର କରି ନୂତନ କମିଟି ଗଠନ କରି ଦାୟିତ୍ୱ ପ୍ରଦାନ କରାଯାଉ ବୋଲି ଆନେ୍ଦାଳନକାରୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ଏଥିସହିତ ମନ୍ଦିରର ସାମଗ୍ରିକ ବିକାଶ ସାଙ୍ଗକୁ ନୀତି ନିର୍ଘଣ୍ଟର ସୁପରିଚାଳନା ପାଇଁ ମନ୍ଦିରକୁ ସରକାର ଦେବୋତ୍ତର ବିଭାଗ ଅଧୀନରେ ପରିଚାଳନା କରନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି ।
ଏହି ପ୍ରସ୍ତାବକୁ ନେଇ ଜିଲ୍ଲାପାଳ କହିଲେ ଯେ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଏହି ପ୍ରସ୍ତାବ ଦିଆଯାଉ, ସେମାନେ ଚାହିଁଲେ ସୁବିଧାରେ ପରିଚାଳନା ସମିତି ପରିବର୍ତ୍ତନ କରାଯାଇପାରିବ ଆଉ ସମସ୍ତ ଦାବି ଗୁଡ଼ିକ ଅନୁଧ୍ୟାନ କରି ଆଇନ ସଚିବଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆନେ୍ଦାଳନରେ ପତଞ୍ଜଳି ଯୋଗ ସମିତି, ଆର୍ଟ ଅଫ ଲିଭିଙ୍ଗ, ଆମ୍ବେଦକର ଫାଉଣ୍ଡେସନ, ଜିଲ୍ଲା ବ୍ରାହ୍ମଣ ସଂଘ, ଅନିମଲ ୱେଲଫେୟାର ଟ୍ରଷ୍ଟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଶୈଳ କ୍ଷେତ୍ର କାର ଡ୍ରାଇଭର ସଂଘ, ଅନୁଗୋଳ ବସ୍ ମାଲିକ ସଂଘ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ସାମିଲ ଥିଲେ ।