ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା: ବିଶ୍ୱସ୍ତରୀୟ ଟେଣ୍ଡରରେ ବିକ୍ରି ହେବ ରକ୍ତ ଚନ୍ଦନ
ଭୁବନେଶ୍ୱର : ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବିଭାଗର କାର୍ଯ୍ୟାବଳୀର ବିଶଦ ସମୀକ୍ଷା କରିଥିଲେ । ବିଭାଗରେ ଅବସର ପାଇବା ଦିନ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅବସରକାଳୀନ ପେନସନ ପ୍ରଦାନ କରାଯିବ । ଆରଏସିପି ବା ଏମ୍ଏସିପି ଅଦାଲତରେ ମୋଟ ୪୩୨ଟି ଆବେଦନ ଦାଖଲ ହୋଇଛି । ଯୋଗ୍ୟ ଆବେଦନଗୁଡିକର ସମୟୋଚିତ ଫୈସଲା ଉପରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗଗୁଡିକର ତୁରନ୍ତ ସମାଧାନ ଓ ଜନଶୁଣାଣୀ ପୋର୍ଟାଲର ଅଦ୍ୟତନ କେଶଗୁଡିକର ଫଏସଲା ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । କୋର୍ଟରେ ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କ ଉପସ୍ଥିତିକୁ ଏଡାଇବା ପାଇଁ ସମସ୍ତ ଅଦାଲତ ଅବମାନନା ମାମଲାକୁ ପ୍ରାଥମିକତା ପ୍ରଦାନ କରିବାକୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟରେ ୪୫ଜଣ ସହକାରୀ ବନସଂରକ୍ଷକ, ୧୩୧ ରେଞ୍ଜ ଅଧିକାରୀ ପଦବୀ ପୂରଣ ପାଇଁ ପରୀକ୍ଷା କରିବାକୁ ଓଡିଶା ପବ୍ଲିକ ସର୍ଭିସ୍ କମିଶନ ଓ ୧୬୭୭ଟି ବନରକ୍ଷୀ ପଦବୀ ପୂରଣ ପାଇଁ ପରୀକ୍ଷା କରିବାକୁ ଓଡିଶା ଅଧସ୍ତନ ଷ୍ଟାଫ ସିଲେକ୍ସନ କମିଶନକୁ ଜଙ୍ଗଲ ବିଭାଗ ପକ୍ଷରୁ ଲେଖାଯାଇଛି । ୨ଟି ସହକାରୀ ବନସଂରକ୍ଷକ, ୧୩୦ଜଣ ରେଞ୍ଜ ଅଧିକାରୀ, ୧୬୦ଟି କନିଷ୍ଠ ସହାୟକ ଓ ୮୯୦ ବନରକ୍ଷୀ ପଦବୀ ପୂରଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଟନେଲ୍ ଆକ୍ୱାରିୟମ୍, କାଞ୍ଜିଆ ହ୍ରଦର ପୁନରୁଦ୍ଧାର, ପଶୁ ବିନିମୟ କାର୍ଯ୍ୟକ୍ରମ, ଉଦ୍ଭିଦ ଉଦ୍ୟାନ, ରୋପ୍ ୱେ, ମେଟ୍ରୋ ଷ୍ଟେସନ ନନ୍ଦନକାନନ, ନନ୍ଦନକାନନ ଗ୍ରାମ୍ୟ ରାସ୍ତା କାର୍ଯ୍ୟ ହାତକୁ ନିଆଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ ।
ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ଉଦ୍ୟମରେ ମୂଲ୍ୟବାନ ରକ୍ତ ଚନ୍ଦନ କାଠକୁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରାଯାଇ ବିକ୍ରୟ କରାଯିବ । ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନରେ ଚିଲିକାରେ ପର୍ଯ୍ୟଟକମାନଙ୍କ ପାଇଁ ୨ଟି ବୃହତ ଡଙ୍ଗା ଓ ସୌରଶକ୍ତିଚାଳିତ ଡଙ୍ଗା ପ୍ରଚଳନ କରାଯିବ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଦ୍ୟମରେ ରାଜ୍ୟର ଅଧିକରୁ ଅଧିକ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରାଯିବା ପାଇଁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ନିଦେ୍ର୍ଦଶ ଦେଇଥିଲେ ।
ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟରେ ଆବଣ୍ଟିତ ହୋଇଥିବା ପାଣ୍ଠିର ସମୟାନୁବର୍ତ୍ତୀ ବ୍ୟବହାର ଉପରେ ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ ।