ଜଙ୍ଗଲରୁ ମିଳିଲା ନାବାଳିକା କଙ୍କାଳ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହତ୍ୟାକାଣ୍ଡ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ବିଭିନ୍ନ ଅଞ୍ଚଳରେ ପିଙ୍ଗିଦେଉଥିବା ଦେଖିବାକୁ ମିଳିଛି । ଗତକାଲି ଗଞ୍ଜାମ ସୋରଡ଼ା ଥାନା ଗାଜଲବାଡ଼ି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର କରିଥିଲା ପୁଲିସ । ସୂଚନା ଅନୁସାରେ ସୋରଡ଼ା ଥାନା ଗାଜଲବାଡ଼ି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ ନରକଙ୍କାଳ ପଡିଥିବା ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ସଙ୍ଗେ ସଙ୍ଗେ ଏନେଇ ପୁଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । କଙ୍କାଳ ପାଖରୁ ମୋବାଇଲ୍, ପ୍ୟାଣ୍ଟ୍, ମାଳି ଆଦି ଉଦ୍ଧାର କରିଥିଲା ସୋରଡ଼ା ପୁଲିସ । ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ବ କରିଛି । ତଦନ୍ତ ବେଳେ କଙ୍କାଳଟି ଜଣେ ନାବାଳିକାର ବୋଲି ଜଣାପଡ଼ିଛି । ନାବାଳିକାର ଘର ଟିକାବାଲି ଅଞ୍ଚଳରେ ହୋଇଥିବା ବେଳେ ଗତ ଫେବୃଆରୀ ୨୭ ତାରିଖରୁ ସେ ନିଖୋଜ ଥିଲା । ସେହିଦିନ ଟୁ୍ୟସନ୍ୟାଇ ଆଉ ଘରକୁ ଫେରି ନଥିଲେ ଉକ୍ତ ନାବାଳିକା । ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ଖବର ନମିଳିବାରୁ ପରିବାର ଲୋକେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଗତକାଲି କେଟାମଣି ପାହାଡ ନିକଟ ଜଙ୍ଗଲରୁ ଏକ କଙ୍କାଳ ବିଷୟରେ ପୁଲିସ ଖବର ପାଇଥିଲା । ତେବେ କେହି ଜଣେ ନାବାଳିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।