ଜଙ୍ଗଲରୁ ୨୨ ଖଣ୍ଡ ଶାଳଗଣ୍ଡି ଜବତ 

ବେତନଟୀ : ବେତନଟୀ ରେଞ୍ଜ ତଥା ବେତନଟୀ ଥାନା ଅଧୀନ ଚିଲବସା ଜଙ୍ଗଲରୁ ୨୨ଖଣ୍ଡ ଶାଳଗଣ୍ଡି ବନବିଭାଗ ଜବତ କରିଥିବାବେଳେ ଅଭିଯୁକ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ବନବିଭାଗର କର୍ମଚାରୀଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରି ଚମ୍ପଟ ମାରିଲେ କାଠମାଫିଆ । ଘଟଣାରୁ ପ୍ରକାଶ, ଦିନକୁ ଦିନ ବେତନଟୀ ରେଞ୍ଜ ଅଧୀନରେ କାଠ ମାଫିଆ ମାନଙ୍କର ରାଜ ଦେଖିବା ପାଇଁ ମିଳୁଛି । ଅଫିସରମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ କାଠମାଫିଆମାନେ ସକ୍ରିୟ ହେବାରେ ବସିଲେଣି । ସପ୍ତାହକ ପୂର୍ବରୁ କିଛି ମାଫିଆ ଚିଲବସା ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କାଟିବାର ଖବର ପାଇ ଚାଲାଣ ପୂର୍ବରୁ ମାଡିବସିଥିଲା ବନବିଭାଗ । ସେତେବେଳେ ଘଟଣାସ୍ଥଳରୁ ବିଭିନ୍ନ ମୋଟେଇର ଏକୋଇଶି ଖଣ୍ଡ ଶାଳଗଣ୍ଡି ଜବତ କରିଥିଲା । ଏ ନେଇ ବେତନଟୀ ରେଞ୍ଜ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସେହିପରି  ସେହି ନିର୍ଦ୍ଦିଷ୍ଟ ଚିଲବସା ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କଟାଯାଉଥିବାର ଖବର ପାଇ ବନବିଭାଗ ଟିମ ଚିଲବସା ଜଙ୍ଗଲରେ ଚଢାଉ କରିଥିଲେ । ଚଢାଉ ସମୟରେ କାଠମାଫିଆମାନେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବାବେଳେ ବନବିଭାଗର କର୍ମଚାରୀମାନେ ରାସ୍ତା ଅଟକାଇଥିଲେ । ମାତ୍ର ମାଫିଆମାନେ କର୍ମଚାରୀଙ୍କ ଉପରକୁ ଗାଡି ଚଡାଇବାକୁ ଉଦ୍ୟମ କରିବାରୁ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମାଫିଆମାନେ ଖସିପଳାଇବାରେ ସକ୍ଷମ ହୋଇଥିଲେ । ତେବେ ବନବିଭାଗ ପିଛା କରୁଥିବାବେଳେ ଶେଷରେ ଅନ୍ୟ ଉପାୟ ନ ପାଇ ରାସ୍ତାରେ ଗଛକଟାରେ ବ୍ୟବହୃତ କରତକୁ ଫିଙ୍ଗି ଦେଇ ପଳାଇଥିଲେ । ଘଟଣାସ୍ଥଳରୁ ବନବିଭାଗ ବିଭିନ୍ନ ମୋଟେଇର ୨୨ଖଣ୍ଡ ମୂଲ୍ୟବାନ ଶାଳଗଣ୍ଡି ଜବତ କରିଥିଲା । ବନବିଭାଗ ଶାଳଗଣ୍ଡି ଜବତ କରି କୃଷ୍ଣଚନ୍ଦ୍ରପୁର ସ୍ଥିତ ସିଜରୟାର୍ଡକୁ ନେଇଥିବା ବେଳେ କାଠମାଫିଆମାନେ ରାସ୍ତାରେ ଫିଙ୍ଗି ପଳାଇଥିବା କରିତକୁ ଜବତ କରାଯାଇଛି ।