ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକ୍ ଅରେଡ଼ା ପଞ୍ଚାୟତ ଅମଲାପାଲି ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଖଡ଼ିଆଳ ବନଖଣ୍ଡ  ପକ୍ଷରୁ ପକ୍ଷୀ କୂଳର ସୁରକ୍ଷା ପାଇଁ ତଥା ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ସେମାନଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ "ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ବନ ଖଣ୍ଡ ଅଧିକାରୀ, ଖରୀଆର ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,  ଖରିଆର ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବନ ବିଭାଗ ତରଫରୁ ପକ୍ଷୀମାନଙ୍କ ଆଶ୍ରୟ ନେଇ ପରିବା ଭଳି ବସା ଏବଂ ପାଣିପାତ୍ର ସବୁ ବିଭିନ୍ନ ଗଛରେ ଝୁଲାଇ ଦିଆଯାଇଥିଲା । ବୃକ୍ଷ ପୂଜନ ସହିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ସବୁ ଗାଁକୁ ପରିବ୍ୟାପ୍ତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।