ଆକ୍ସନ ମୋଡରେ ପୁଲିସ କମିଶନର ଓ ଡିସିପି
୪୮ ଘଣ୍ଟାରେ ୨୫ ଗିରଫ; ୧୩ ମୋବାଇଲ, ସୁନା ଚେନ୍ ଓ ୨ଟି ବାଇକ ଜବତ
ଭୁବନେଶ୍ୱର, ୧୯ା୧୧ : ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୬ ଶହରୁ ଊଦ୍ଧ୍ୱର୍ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଅର୍ବାନ ପୁଲିସ ପକ୍ଷରୁ ସହରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଏଥିପାଇଁ ଭୁବନେଶ୍ୱର ଅର୍ବାନ ପୁଲିସ ଆକ୍ସନ ମୋଡରେ । ସେଫସିଟି ଡ୍ରାଇଭ ଅଧିନରେ ବିଭିନ୍ନ ଥାନା ପୁଲିସ ପୂର୍ବରୁ ୪୮ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢଉ କରି ମୋଟ ୧୫ ଜଣ ଅପରାଧୀଙ୍କୁ ଗିରଫ କରିବା ସହ ୧୨ଜଣଙ୍କ ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏହାପରେ ପୁଣି ୪୮ ଘଣ୍ଟା ଭିତରେ ପୁଲିସ କମିଶନର ଓ ଡ଼ିସିପିଙ୍କ ନେତୃତ୍ୱରେ ବିଭିନ୍ନ ବିଭିନ୍ନ ଥାନା ପୁଲିସ, ପିଓପିଡ଼ି ଟିମ ଓ ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ବିଭିନ୍ନ ଅପରାଧରେ ଜଡ଼ିତ ଥିବା ୨୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୧୩ଟି ମୋବାଇଲ ଫୋନ୍, ୨ଟି ବାଇକ ଓ କିଛି ସୁନା ଚେନ୍ ଜବତ କରାଯାଇଛି । ପୂର୍ବରୁ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗଞ୍ଜେଇ, ସୁନା ଅଳଙ୍କାର, ନଗଦ ଟଙ୍କା ଓ ଚୋରି ହୋଇଥିବା ଗାଡିକୁ ପୁଲିସ ଜବତ କରାଯାଇଥିଲା ।
ଗିରଫ ଅଭିଯୁକ୍ତମାନେ ହେଲେ, ଭରତପୁର ଥାନା ସାଁପୁରର ସନ୍ତୋଷ ନାୟକ, କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିର ଜଗା ଓରଫ ସନ୍ତୋଷ ନାୟକ, ସହିଦନଗର ଥାନା ସାନ୍ତିପଲ୍ଲୀ ବସ୍ତିର ଦୀପକ ପ୍ରଧାନ, ଇନଫୋସିଟି ଥାନା ମୋ ବସ ଡ଼ିପୋର ସମୀର ନାୟକ, ଖୋର୍ଦ୍ଧା ଜଙ୍କିଆର ରଞ୍ଜନ କୁମାର ସାହୁ, ମଞ୍ଚେଶ୍ୱର ଥାନା ପାଟଦେବୀପୁର ବସ୍ତିର ପ୍ରଭାତ ଜେନା, କେନ୍ଦୁଝର ଜିଲ୍ଲାର ମୁନିରାମ ସୋରେନ୍, ଭରତପୁର ଥାନା ଜିଏ କଲୋନୀର ଲକ୍ଷ୍ମୀଧର ସାହୁ, ଖଣ୍ଡଗିରି ସୁଆଁଙ୍ଗର ରଞ୍ଜନ ନାୟକ, ବୁଲି ନାୟକ, ସମିର ବେହେରା, ଅର୍ନପୂର୍ଣ୍ଣା ଭୋଇ, ବାଲିପାଟଣାର ଦୟାନିଧି ମଲ୍ଲୀକ, ଦୀପକ କୁମାର ମଲ୍ଲୀକ, ରବିନ୍ଦ୍ର ମଲ୍ଲୀକ, ବିନୋଦ୍ ମଲ୍ଲୀକ, ବଡ଼ଗଡ଼ ଥାନା କୋରଡକଣ୍ଟାର ଆଧାର କୁମାର ଗିରି, ମନୋଜ ସାହୁ, ନୟାଗଡ଼ ଜିଲ୍ଲା ରଣପୁରର ସୂର୍ଯ୍ୟକାନ୍ତ ପ୍ରଧାନ, ପୁରୀ ଜିଲ୍ଲା ପିପିଲିର ଧରଣୀଧର ପ୍ରଧାନ, ମୟୁରଭଞ୍ଜର ଦୁର୍ଗା କେ ମାରାଣ୍ଡି, ଶଙ୍କର ହେର୍ମମ, କଟକ ଜିଲ୍ଲା ବୈଦେଶ୍ୱରର ମନୋଜ କୁମାର ସିଂ ଓ ଜୟନ୍ତକ କୁମାର ପାଣିଗ୍ରାହୀ । ଏହାବାଦ ସହରାଞ୍ଚଳ ପୁଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ଅଭ୍ୟାସଗତ ଅପରାଧୀମାନେ ଥାନାରେ ନିୟମିତ ଭାବେ ହାଜିରା ଦେଉଛନ୍ତି କି ନାହିଁ ସେ ଦିଗରେ ପୁଲିସ ଗୁରୁତ୍ୱ ଦେବା ଆରମ୍ଭ କରିଛି । ଏହାବାଦ ଯେଉଁ ଅଭିଯୁକ୍ତମାନେ ଜେଲରୁ ବାହାରୁଛନ୍ତି ସେମାନଙ୍କ ଗତିବିଧି ଉପରେ ପୁଲିସ ତୀକ୍ଷ ନଜର ରଖିଥିବା ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ପୁଲିସ ରାତ୍ରୀକାଳୀନ ଫୁଟ ପାଟ୍ରୋଲିଂକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖଟି ଯେପରି ବନ୍ଦ ହେବ ସେ ନେଇ ପୁଲିସ ସୁଚିନ୍ତିତ ଯୋଜନା କରୁଥିବା ଏବଂ ଖଟି ଉପରେ ଅଧିକରୁ ଅଧିକ ଚଢଉ ନେଇ ପୁଲିସ ପ୍ରସ୍ତୁତଥିବା ଡିସିପି ପିନାକ ମିଶ୍ର କହିଛନ୍ତି ।