ଜନ୍ମଦିନରେ ମାନସିକ ବିକୃତଙ୍କ ସେବାକଲେ ମେଡିକାଲ କର୍ମଚାରୀ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଲଲାଟ ପାଢୀ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଥିବା ଜଣାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଛତାବର ଓଭରବ୍ରିଜ ତଳେ ଶୋଇଥିବା ଜନୈକ ମାନସିକ ବିକୃତଙ୍କୁ ଶ୍ରୀ ପାଢୀ ଉଦ୍ଧାର କରିଥିଲେ । ତାଙ୍କୁ ଶୌଚ କରିବା ସହ ନବବସ୍ତ୍ର ପିନ୍ଧାଇ ରୁଚି ମତେ ଖାଦ୍ୟ ପ୍ରଦାନ କରିଥିଲେ । ମାନସିକ ବିକୃତଙ୍କୁ ଛତାବର ଛକରେ ଥିବା ରାଜପଥ ଭୋଜନାଳୟକୁ ସଂପୃକ୍ତ ମାନସିକ ବିକୃତକୁ ହସ୍ତାନ୍ତର କରିଥିଲେ । ଏଭଳି ବ୍ୟକ୍ତିବିଶେଷଙ୍କୁ ସେବା ଶୁଶ୍ରୁଷା କରି ମାନସିକ ଆନନ୍ଦ ଲଭୁଛନ୍ତି ବୋଲି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ଥାନୀୟ ଅଞ୍ଚଳରେ ନଜରକୁ ଆସୁଥିବା ପ୍ରତ୍ୟେକ ଅଜଣା ବା ଅସହାୟ ବ୍ୟକ୍ତି ଓ ମାନସିକ ବିକୃତଙ୍କୁ କ୍ରମାଗତ ଭାବେ ସେବା ଯୋଗାଇବା ଘଟଣା ଜଣାଶୁଣା କଥା । ଏପରିକି ସେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଜଡିତ ହୋଇ ସେବା ପରିସରକୁ ବ୍ୟାପକ କରିଥିବା ଜଣାଯାଏ । ଶ୍ରୀ ପାଢୀଙ୍କ ଜନ୍ମଦିନରେ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ତାଙ୍କ ନିରାମୟ ଜୀବନ କାମନା କରାଯାଇଛି ।