ଜବରଦଖଲକାରୀଙ୍କ କବ୍ଜାରେ ୮ଇ କେନାଲ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବଜାରର ୮ଇ କେନାଲରୁ ନିଶ୍ଚିନ୍ତକୋଇଲି ବଜାରସ୍ଥିତ ଶ୍ୱେତବଟ ମଠ ନିକଟରୁ ବାହାରି ଥିବା ୮ଇ(୧) ଶାଖା କେନାଲ ଦୀର୍ଘ ଦିନ ହେବ କିଛି ଜବରଦଖଲକାରୀଙ୍କ କବ୍ଜାରେ ରହିଛି । ଜବରଦଖଲକାରୀମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଯଥା ଗମନାଗମନ ପାଇଁ ନିଜ ଘର ସମ୍ମୁଖରେ ଶାଖା ନାଳକୁ ପୋତି ଦେବା ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନେ ସେମାନଙ୍କ ଦୋକାନକୁ ଯାଆସ କରିବା ପାଇଁ ଶାଖା ନାଳକୁ ମାଟି ପକାଇ ପୋତିଦେବା ଫଳରେ ଉକ୍ତ ଶାଖା ନାଳରେ କେନାଲ ଜଳ ଯିବାଆସିବା କରିବା ତ ଦୂରର କଥା ବର୍ଷା ଜଳ ମଧ୍ୟ ନିଷ୍କାସିତ ହୋଇ ନପାରି ଅନେକ ସ୍ଥାନରେ ପାଣି ଜମି ରହି ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଫଳରେ ଉକ୍ତ ଶାଖା ନାଳ ଉପରେ ଚାଷ କାର୍ଯ୍ୟରେ ନିର୍ଭର କରୁଥିବା ଚାଷୀମାନଙ୍କ ଚାଷ ଜମିରେ ସଠିକ୍ ଜଳସେଚନ ହୋଇ ପାରୁନଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଜଳ ସେଚନବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛଦ କରିବାକୁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଅବଗତ କରିବା ସହ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି ।
ନିଶ୍ଚିନ୍ତକୋଇଲି ବଜାର ଅଞ୍ଚଳରେ ୮ଇ କେନାଲ ଓ କେନାଲବନ୍ଧକୁ ଜବରଦଖଲକାରୀ ଦୀର୍ଘ ଦିନ ହେଲା ଜବରଦଖଲ କରି ଆସୁଥିବାରୁ ଏହି କେନାଲରେ ସଠିକ୍ ଜଳସେଚନ ହୋଇ ପାରୁ ନଥିବା ବେଳେ, କେନାଲବନ୍ଧ ରାସ୍ତାରେ ଯାତାୟାତ କରିବାରେ ବାଧା ଉପୁଜିଛି । ସ୍ଥାନୀୟ ଯୁବଗୋଷ୍ଠୀ ଏ ବିଷୟରେ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ଏବଂ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ନିଶ୍ଚିନ୍ତକୋଇଲି ତହସିଲକାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀଙ୍କ ଠାରୁ ଖଜଣା ପାଉତି କାଟିବା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିନା ଅନୁମତିରେ ସରକାରୀ ଜମିକୁ ଦଖଲକରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ ଜାରୀ କରିଛନ୍ତି । ୩୦ ଦିନ ଭିତରେ ଜବରଦଖଲକାରୀ ଅବରୋଧ କରିଥିବା ଜମିରୁ ଅପସରି ନଗଲେ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ସଂପୂର୍ଣ୍ଣ ବେଦଖଲ କରିଦିଆଯିବ । ସେମାନେ ସରକାରୀ ଜମିରେ ଚାଷ କରୁଥିବା ଶସ୍ୟ ବା ଅନ୍ୟ କୌଣସି ଫସଲ ବା ସେଥିରେ ନିର୍ମାଣ କରାଯାଇଥିବା ଗୃହ ବା ରଖାଯାଇଥିବା ଜିନିଷ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବାଜ୍ୟାପ୍ତି କରାଯିବ । ଦେଖିବାକୁ ବାକି ରହିଲା ୮(ଇ) କେନାଲ ଜବରଦଖଲକାରୀଙ୍କ କବ୍ଜାରୁ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ କେବେ ଜବରଦଖଲ ଉଚ୍ଛେଦ କରୁଛି ଓ ୮ଇ(୧) ଶାଖା ନାଳର ଜବରଦଖଲକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ।