ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
ଯାଜପୁର ଟାଉନ: ଗୁରୁବାର କୁସୁମା ସମ୍ମୁଖସ୍ଥ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଛି । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୩୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେଳାକୁ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଉଦ୍ଘାଟନ କରିଥିଲେ ।
ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁନିଲ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ ବେହେରା, ଜିଲ୍ଲା କୃଷି ଅଧିକାରୀ ଯାଜପୁର ରୋଡ ଅରୁଣ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କୃଷି), କେନ୍ଦ୍ରାପଡ଼ା ସଞ୍ଜୀବ କୁମାର ତ୍ରିପାଠୀ ଯୋଗଦେଇ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷୀମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ମେଳା ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳାରେ କୃଷି ଓ ଆନୁଷଙ୍ଗିକ ବିଭାଗ ଯଥା ଉଦ୍ୟାନ କୃଷି,ପ୍ରାଣୀ ସମ୍ପଦ, ମସô୍ୟ, ଜଳ ବିଭାଜିକା, ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ, ଇଫକୋ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମିଶନ ଶକ୍ତି, ଆଇପିଏଲ ସୁଗାର ଆଦି ଅଂଶଗ୍ରହଣ କରିଛନ୍ତି । ଘରୋଇ କୃଷି ଯନ୍ତ୍ରପାତି ବିକ୍ରେତାଙ୍କ ପାଇଁ ୪୨ଟି ଷ୍ଟଲ୍ ଓ ସରକାରୀ ବିଭାଗ ପାଇଁ ୩୬ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡପ ଗୁଡିକରେ ବିଭାଗୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ତକ୍ରାଳ ବୁକିଙ୍ଗ ଓ ବିକ୍ରୟର ବ୍ୟବସ୍ଥା କରାଯାଇଛି । ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ୍ର କୃଷକ ଭାଇ ଭଉଣୀମାନେ ମେଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ବିଗତ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ରିହାତି ଉପଯୋଗ କରିଥିବା ଘରୋଇ କୃଷି ଯନ୍ତ୍ରପାତି ବିକ୍େରତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏତଦ୍ ସହିତ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା ଆନୁକୂଲ୍ୟରେ ୨୦୨୩-୨୪ ବର୍ଷ ପାଇଁ ୪ଜଣ ଅଗ୍ରଣୀ କୃଷକଙ୍କୁ ନୂତନ ଯନ୍ତ୍ରପାତି ସମ୍ବନ୍ଧୀୟ ଉଦ୍ଭାବନ ଏବଂ ନୂତନ ଚିନ୍ତାଧାରା ପାଇଁ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବ ।