ଜରାଜୀର୍ଣ୍ଣ ଅବସ୍ଥାରେ ଗଙ୍ଗପୁର-ପଦାସାହି ରାସ୍ତା

 କାକଟପୁର: କୋରଣା ପଞ୍ଚାୟତ ଗଙ୍ଗପୁର ରୁ ପଦାସାହି ଯାଏଁ କଂକ୍ରିଟ ରାସ୍ତା ଦୀର୍ଘ ୫ ବର୍ଷ ହେବ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହାକୁ ପୁନଃ ଉଦ୍ଧାର କରି ମରାମତି କରିବା ପାଇଁ ଏହି ଅଞ୍ଚଳର ଜଣେ ଯୁବ ସମାଜସେବୀ ୨୦୨୪ ମସିହା ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଅଭିଯୋଗ ଆଣିଥିଲେ । ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ରିପୋର୍ଟ ଜାରି ହୋଇଥିଲା । ପରେ ଜିଲ୍ଲାପାଳ ତଥ୍ୟ ଦେଇଥିଲେ ଏହି କାର୍ଯ୍ୟ ଜାରିରହିଛି କିନ୍ତୁ ଏପରି ନ ଥିଲା । ପରେ ସାଧାରଣ ପ୍ରଶାସନର ୱେବ ପୋର୍ଟାଲରେ ଦେଖିବାକୁ ମିଳିଛି ଏହା ଫଇସଲା ହୋଇଛି । ମାତ୍ର କାମ ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନା ତେବେ ସରିଲା କେମିତି । ଏହି ରିପୋର୍ଟ ଦେଖିବା ପରେ ଲୋକଙ୍କ ଭିତରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ନଟକିଶୋର ମହାନ୍ତି, ମାଧବ କାଣ୍ଡି, ଶିବ ପ୍ରସାଦ ନାୟକ ଆଦି ଅଞ୍ଚଳବାସୀ ଗଣମାଧ୍ୟମ ସାମ୍ନାରେ ଏହି ୱେବ ପୋର୍ଟାଲ ତଥ୍ୟକୁ ନେଇ ସନେ୍ଦହଜନକ ଅଭିଯୋଗ ଆଣିଛନ୍ତି । ଏହି ବାବଦରେ ଅସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରାଙ୍କୁ ପଚାରିବାରୁ ସେ ଏହି ରାସ୍ତା ବାବଦରେ କିଛି ଜାଣିନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ କିଛି ଜାଣିନାହାନ୍ତି । ପଞ୍ଚାୟତର ଏହି ରାସ୍ତା ନୁହେଁ ବୋଲି ତଥ୍ୟ ମିଳିବା ପରେ ଶେଷରେ ଗ୍ରାମ୍ୟଉନ୍ନୟନ ବିଭାଗକୁ ପଚରା ଯାଇଥିଲା କିନ୍ତୁ ସେ ରାସ୍ତା ତାଙ୍କ ବିଭାଗ ଅଧୀନରେ ନୁହେଁ ବୋଲି ସେ ମଧ୍ୟ ମନା କରିଥିଲେ, ଏହି ଘଟଣା କୁ ନେଇ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଜନଅସନ୍ତୋଷ ପ୍ରକାଶ ପାଇବା ପରେ ବର୍ତ୍ତମାନ ଏହି ରାସ୍ତା କେଉଁ ବିଭାଗ ଅଧୀନରେ ରହିଛି ତାହାକୁ ନେଇ ଅଞ୍ଚଳବାସୀ ଦାବି ଉପସ୍ଥାପନା କରିଛନ୍ତି । ଏବେ କିପରି ମୁଖ୍ୟମନ୍ତ୍ରୀଙ୍କ ୱେବ ପୋର୍ଟାଲରେ ଏହି ତଥ୍ୟ ଆସିଲା ଆଉ ବାସ୍ତବରେ ଏହାର ଅର୍ଥ କ’ଣ ତାହାକୁ ତୃଣମୂଳସ୍ତରରେ ତଦନ୍ତ କରିବା ସହ ଏହି ଅଞ୍ଚଳର ରାସ୍ତାକୁ ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।