ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସକବିଙ୍କ ସ୍ମୃତିସଦନ
ଢେଙ୍କାନାଳ: ଓଡ଼ିଶାର ବରପୁତ୍ର ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଜନକ, ଓଡ଼ିଆ ଭାଷା ସାହିତ୍ୟର ସଂକ୍ରାନ୍ତି ପୁରୁଷ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି । ତାଙ୍କ ରଚିତ ଆତ୍ମଜୀବନୀର ତଥ୍ୟକୁ ଆଧର କରି ସେ ଯେଉଁ ବାସଗୃହଟିରେ ବସବାସ କରୁଥିଲେ, ତାକୁ ୨୦୦୬ ମସିହାରେ ଜିଲ୍ଲା ପ୍ରଶାସନ ତରଫରୁ ଫକୀରମୋହନ ସ୍ମୃତି ସଦନ ଭାବରେ ସଂରକ୍ଷିତ କରାଯାଇଥିଲା । ତେବେ ସଦନ ଭିତରେ କବିଙ୍କର ଏକ ତୈଳଚିତ୍ର ସ୍ଥାପନ କରାଯାଇଥିଲା । ଏହି ସ୍ମୃତି ସଦନଟି ତତକାଳୀନ ମନ୍ତ୍ରୀ ପଦ୍ମନାଭ ବେହେରା ଲୋକାର୍ପିତ କରିଥିଲେ । ସଦନଟିର ଅଧିକ ରକ୍ଷଣାବେକ୍ଷଣ ନିମନ୍ତେ ଭଡାଘରେ ଚାଲୁଥିବା ସଂସ୍କୃତି ବିଭାଗର ଜିଲ୍ଲା ପାଠାଗାରକୁ ଏହି ସଦନକୁ ଉଠାଇ ଅଣାଯାଇଥିଲା । ଫକୀର ମୋହନଙ୍କ ପରି ଏତେବଡ ଜଣେ ସାରସ୍ୱତ ସାଧକ ଯେ ଢେଙ୍କାନାଳ ଜିଲ୍ଲାରେ ଏକଦା ବାସିନ୍ଦା ଥିଲେ । ଏହି ଘରେ ସେ ସଂସ୍କୃତ ରାମାୟଣର ଆକ୍ଷରିକ ଓଡିଆ ଅନୁବାଦ କରି ପରେ ସରସ୍ୱତୀ ଉପାଧି ପାଇଥିଲେ । ତାହା ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ । ତେବେ ସେହି ମହାନାୟକ ଢେଙ୍କାନାଳରେ ଅବସ୍ଥାନ କରୁଥିବା ଜିଲ୍ଲା ସଦରମହକୁମାର ମୁଖ୍ୟ ଡାକଘର ପୃଷ୍ଠଭାଗରେ ଥିବା ତାଙ୍କର ବାସସ୍ଥାନ ସେହି ବ୍ୟାସକବି ସ୍ମୃତି ସଦନ ଓ ଜିଲ୍ଲା ପାଠାଗାର ଏବେ ଜରାଜୀର୍ଣ୍ଣ ଓ ଅବହେଳିତ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ସାହିତ୍ୟ ତଥା ଫକିରମୋହନ ପ୍ରେମୀମାନଙ୍କୁ ନିରାଶ କରିଛିି ।
ଏହି ସ୍ଥାନରେ ବ୍ୟାସକବି ବ୍ୟବହାର କରୁଥିବା ଓ ପରେ ସଂଗୃହିତ ତଥା ସଂରକ୍ଷିତ ହୋଇ ରହିଥିବା ଲକ୍ଷାଧିକ ସଂଖ୍ୟାର ବହି, ଘର ଆସବାବପତ୍ର, ବ୍ୟବହାର କରୁଥିବା କୂଅ ,ବାଡି ଆଦି ଆମର ଐତିହ୍ୟ ଓ କୀର୍ତ୍ତି ଭାବେ ରହିଥିବା ବେଳେ ପ୍ରଶାସନିକ ଅବହେଳାରୁ ଏସବୁ ଏବେ ବିପର୍ଯ୍ୟସ୍ତ । ଜିଲ୍ଲାର ଐତିହ୍ୟ ଓ ଗୌରବ ବହନ କରୁଥିବା ସେହିସମୟର ଏହି ଆଜବେଷ୍ଟସ ଘରସବୁ କ୍ରମଶଃ ଭାଙ୍ଗି ରୁଜି ଯାଇଥିବା ବେଳେ କୂଅ ଭିତରେ ଅଳିଆ ଆବର୍ଜନା ପଡି, ବଡ଼ବଡ଼ ଘାସ ଉଠି ତାହା ଏକପ୍ରକାର ବନ୍ଦ ହୋଇ ପଡିଛି । ଭିତରେ ଥିବା ଲାଇବ୍ରେରୀରେ ଲକ୍ଷାଧିକ ସଂଖ୍ୟା ଓ ଟଙ୍କାର ବହି ଉଇ ଲାଗି ନଷ୍ଟ ହୋଇଯାଉଥିବା ବେଳେ ତା'ର ସଂରକ୍ଷଣ ପାଇଁ କିଛି ବି ବ୍ୟବସ୍ଥା ନାହିଁ । ପାଠାଗାର ଦାୟିତ୍ୱରେ ପ୍ରାୟ ୪ ଜଣ ସ୍ଥାୟୀ କର୍ମଚାରୀ ରହିବା ଜାଗାରେ ମାତ୍ର ଜଣେ ମହିଳା କର୍ମଚାରୀ ଗତ ଦୁଇ ବର୍ଷ ହେଲା ସଂସ୍କୃତି ବିଭାଗରୁ ଆସି ଏଠାରେ ଅସ୍ଥାୟୀ ଭାବେ କାମ କରୁଛନ୍ତି । ଦାୟିତ୍ୱରେ ଥିବା କର୍ମଚାରୀ ଜଣକ ଅଧିକାରୀ ଠୁ ପିଅନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ତୁଲାଉଥିବା ପ୍ରକାଶ କରିଛନ୍ତି । ବିଭିନ୍ନ ବର୍ଗର ବରିଷ୍ଠ ନାଗରିକମାନେ ଆସି ଏଠାରେ ପଢ଼ିବା ପାଇଁ ବସାଉଠା କରୁଥିବା ବେଳେ ସେମାନଙ୍କ ପାଇଁ କୈାଣସି ସୁବିଧା ନାହିଁ । ପାଠାଗାରକୁ ମାଡି ପର୍ଯ୍ୟଟନ ବିଭାଗର ଭବ୍ୟ ପ୍ରାସାଦ ଠିଆ ହୋଇଥିବା ବେଳେ ଜିଲ୍ଲା ର ସଂସ୍କୃତି ଓ ଐତିହ୍ୟ ବହନ କରୁଥିବା ବ୍ୟାସକବିଙ୍କ ପୀଠଟି ଏବେ ସମ୍ପୁର୍ଣ୍ଣ ଅଣଦେଖା ହୋଇ ପଡିଛି ।
ଏବେ ରକ୍ଷଣାବେକ୍ଷଣା ଅଭାବରୁ ଉଇଲାଗି ବହି ନଷ୍ଟ ହେଉଛି । ପୂର୍ବରୁ ଲକ୍ଷାଧିକ ଟଙ୍କାର ବହି ନଷ୍ଟ ହୋଇଛି । କାମ କରିବା ସମୟରେ ଘର ଭିତରକୁ ସାପ ପଶି ଆସୁଛନ୍ତି । ସେଠାରେ ଫକୀର ମୋହନଙ୍କ ଏକ ପ୍ରତିମୂର୍ତ୍ତି ସହ ଗୃହ ଓ ଲାଇବ୍ରେରୀର ସଂରକ୍ଷଣ ପାଇଁ ଜିଲ୍ଲାର ବୁଦ୍ଧିଜୀବୀମାନେ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।