ସୁରକ୍ଷିତ ନୁହେଁ ୟାଜ୍ଦାନୀ କାରଖାନା!
ଯଖପୁରା: କଳିଙ୍ଗନଗରର ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ଜୀବନ କେତେ ସୁରକ୍ଷିତ ଏ ପ୍ରଶ୍ନ ସାଧାରଣରେ ଉଙ୍କିମାରୁଛି । ଶିଳ୍ପ ଭିତରେ କେତେ ବେଳେ କଣ ଘଟୁଛି ସୁରକ୍ଷା କର୍ମୀ ହୁଅନ୍ତୁ ଅଥବା କାରଖାନା ପ୍ରଶାସନ ପାଖରେ ଖବର ପହଞ୍ଚୁଛି ସତ ହେଲେ ତାହା କୌଣସି ଅଘଟଣକୁ ରୋକିବାରେ ସମର୍ଥ ହେଉନି । ଅନେକ ସମୟରେ ଶ୍ରମିକ ମାନଙ୍କର ଯିବା ଆସିବା ତଥ୍ୟ ସୁରକ୍ଷା କର୍ମୀ ମାନଙ୍କ ପାଖରେ ରହୁନାହିଁ ବୋଲି ଆଲୋଚନା ହେଉଛି ।
ନିକଟ ଅତୀତରେ ନୀଳାଚଳ କାରଖାନାରେ ଜଣେ ଶ୍ରମିକକୁ ମାରି ପୋତି ଦିଆଯାଇଥିବା ଘଟଣା କାହାକୁ ଅଛପା ନାହିଁ । ଯାହାର ଟେର ସୁରକ୍ଷା କର୍ମୀ କି କାରଖାନା କର୍ତୁପକ୍ଷଙ୍କ ପାଖରେ ନଥିଲା । ଯାହାକି ପରବର୍ତୀ ମୁହୂର୍ତରେ ମାଟି ତଳୁ ଶ୍ରମିକର ମୃତ ଦେହ ମିଳିଥିଲା । ସେମିତି ଏକ ଦୃଶ୍ୟ ନହେଲେ ବି ଯଖପୁରା ଥାନା ଅଧିନସ୍ଥ ୟାଜଦାନୀ କାରଖାନାରେ ଦେଖିବାକୁ ମିଳିଛି । ଉକ୍ତ କାରଖାନାର ପାୱାର ପ୍ଲାଂଟ ସାଇଟ୍ରେ ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ କଇଥା ଗ୍ରାମର ଦୁର୍ଯୋଧନ ଦଳାଇଙ୍କ ପୁତ୍ର ଚୈତନ୍ୟ (୨୩)ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । କାରଖାନା ପରିସର ଭିତରେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଗଲା ଅଥଚ କେହି ଜାଣିପାରିଲେ ନାହିଁ । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କାରଖାନା ଭିତରେ ଏପରି ଗୋଟେ ଘଟଣା ଘଟିଥିବା ବେଳେ, ସୁରକ୍ଷା କର୍ମୀଙ୍କ ଦାଇତ୍ୱ ଉପରେ ଆଙ୍ଗୁଠି ଉଠିଛି । କାରଖାନା ଭିତରେ ଅହରହ ସୁରକ୍ଷା କର୍ମୀ ତଦାରଖ କରୁଥିବା ସମୟରେ ସମ୍ବେଦନଶୀଳ ଘଟଣା ଘଟୁଛି କିପରି ବୋଲି ସାଧାରଣରେ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । କାରଖାନାଟି ବିନା ସୁରକ୍ଷାରେ ଚାଲୁଛି ବୋଲି ଅନୁମେୟ ହେଉଛି । କାରଖାନାର ଅଚଳ ହୋଇପଡ଼ିଥିବା ସାଇଟ୍କୁ ସୁରକ୍ଷିତ ରଖାଯାଉ ନାହିଁ । କାରଖାନାକୁ ସିସି କ୍ୟାମେରାରେ ନଜର ରଖାଯାଉ ନାହିଁ । ଏମିତିକି କାରଖାନାରେ ସିସି କ୍ୟମାରାରର ବ୍ୟବସ୍ଥା ନଥିବା କଥା ଆଲୋଚନା ହେଉଛି । ପ୍ରକାଶ ଥାଉ କି, ୟାଜଦିନ କାରଖାନା ବିଗତ ଦିନରେ ୬ ମାସ ଧରି ବନ୍ଦ ପଡ଼ିଥିଲା । କାରଖାନା ମାଲିକ କାରଖାନା ଚଳାଇ ପାରିବ ନାହିଁ ବୋଲି ରୋକଠକ କହିଦେଇଥିଲେ । ମାତ୍ର ପରବର୍ତୀ ମୁହୂର୍ତ୍ତରେ ଗୋଟେ ଥାର୍ଡ ପାର୍ଟି କାରଖାନା ଚଳାଇବା ପାଇଁ ମୁଖ୍ୟ କାରଖାନା ମାଲିକ ନିକଟରୁ ଲିଜ ଆଣିଛି । ଲିଜଧାରୀ କାରଖାନାର ସମସ୍ତ ନୀତି ନିୟମକୁ ମାନୁ ନାହିଁ ବୋଲି ଅଭିଯୋଗ ହୋଇଛି । କାରଖାନା ଚଳାଇବା ପାଇଁ ଯାହା ସବୁ ନୀତି ନିୟମ ରହିଛି ତାକୁ ପାଳନ କରୁନାହଁ । କାରଖାନା ପ୍ରଦୂଷଣ ପାଇଁ କାରଖାନାକୁ ନୋଟିସ ହୋଇଛି । କାରଖାନାକୁ ଥରେ ନୁହେଁ ବାରମ୍ବାର ପ୍ରଦୂଷଣ ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ନିଦେ୍ର୍ଦଶ ହୋଇଛି । କାରଖାନା କଂଚାମାଲକୁ ଘୋଡାଇ ରଖାଯାଉ ନାହିଁ । ଫଳରେ ବାୟୁ ପ୍ରଦୂଷଣ ହେଉଛି । ବାୟୁ ପ୍ରଦୂଷଣ ଛଡା ବର୍ଷା ଦିନେ ଜଳ ପ୍ରଦୂଷଣ ହେଉଛି । ଡିଆର୍ଆଇରୁ ସବୁବେଳେ କଳା ପାଉଁଶ ନିର୍ଗତ ହେଉଛି । ଫଳରେ ବାୟୁ ପ୍ରଦୂଷଣ ହେଉଛି ।
ଅନେକ ସମୟରେ କାରଖାନାର ଶ୍ରମିକ ମାନେ ଅନେକ ଅଭିଯୋଗ କରୁଥିବାର ନଜିର ଅଛି । ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ଇ ଏସ ଆଇ ହେଉ କି ପିଏଫ୍ କମ୍ପାନୀ ଭରୁ ନାହିଁ ବୋଲି ଅଭିଯୋଗ ହୁଏ । କାରଖାନାରେ କାମ ନେଉଥିବା ଠିକାଦାର ଠିକ୍ ସମୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ବୀମା ଭରଣ କରୁ ନାହିଁ ବୋଲି ଅଭିଯୋଗ ହେଉଛି । ଠିକାଦାରର ଏପରି ମାନୋବୃତି ପାଇଁ କାର୍ଯ୍ୟରତ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କାରଖାନାକୁ ଲିଜ ସୂତ୍ରରେ ନେଇଥିବା ଠିକାଦାରର ଲାଭଖୋର ମନୋବୃତି ପାଇଁ ଶ୍ରମିକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ବିପଦରେ ପଡୁଛନ୍ତି । ଆଗାମୀ ଦିନରେ ଯଦି ଏପରି ଲାଗି ରହେ ଅଥବା ପ୍ରଶାସନ ଏହା ଉପରେ ଦୃଷ୍ଟି ନ ଦିଏ ତେବେ ଶ୍ରମିକ ମାନଙ୍କ ଜୀବନ ବିପଦରେ ପଡ଼ିବା ନିଶ୍ଚିନ୍ତ ।