ବନ୍ଧୁକ ତିଆରି କାରଖାନାରେ ଚଢାଉ, ଜଣେ ଗିରଫ

ଢେଙ୍କାନାଳ: ବେଆଇନ ଭାବେ ତିଆରି ହେଉଥିବା ଦେଶୀ ବନ୍ଧୁକ ତିଆରି କାରଖାନ ଉପରେ ସଦର ଥାନା ପୁଲିସ ଚଢାଉ କରି ଜଣଙ୍କୁ ଗିରଫ କରିବା ସହ ବନ୍ଧୁକ ତିଆରି ପାଇଁ ଆବଶ୍ୟକ ବହୁ ସାମଗ୍ରୀ ଜବତ କରିଛନ୍ତି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସଦର ଥାନା ଭାପୁର ଫାଣ୍ଡି  ଭାଗିରଥୀପୁର ଅଂଚଳର ଅକୁର ବେହେର । ସେ ନିଜ ଘରପଛପଟେ ଗୁପ୍ତରେ ବନ୍ଧୁକ ତିଆରି କାରଖାନା କରି ସେଥିରେ ଦେଶୀ ବନ୍ଧୁକ ତିଆରି କରୁଥିଲା । ନିଜେ ଜଙ୍ଗଲରୁ ଜନ୍ତୁ ଶିକାର କରିବା ସହ ଅନ୍ୟ ଶିକାରୀଙ୍କୁ ବି ଯୋଗାଉଥିବା ଜଣାପଡିଛି ।  
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ସଦର ଥାନା ପୁଲିସ ଭାଗିରଥୀପୁର ଗ୍ରାମର ଅକୁର ବେହେରା ଲୋକଦେଖାଣିଆ ଭାବେ ଚାଷ କାମ କରେ । କିନ୍ତୁ ଜଙ୍ଗଲରୁ ଶିକାର କରି ଜନ୍ତୁମାଂସ ବିକି୍ର ଭଲ ଦୁଇ ପଇସା ରୋଜଗାର କରେ । କିଛିବର୍ଷ ତଳେ ସେ ବାହାରୁ ଏକ ଚୋରା ବନ୍ଧୁକ କିଣି ଗାଁ ପାଖ ଜଙ୍ଗଲରୁ ଜନ୍ତୁ ଶିକାର କରୁଥିଲା । ତେବେ ବିଭିନ୍ନ ସମୟରେ ଏହି ଚୋରା ବନ୍ଧୁକଟି ଖରାପ ହେଉଥିବାରୁ ସେ ମରାମତି କରିବା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ସହ ସହ ଧରାପଡିବାର ଭୟ ଥିଲା । ତେଣୁ ବୁଦ୍ଧି ଖଟାଇ ନିଜେ ବନ୍ଧୁକ ମରାମତି ଶିଖିଲା । ପରେ ଦେଶୀ ବନ୍ଧୁକ ନିଜେ ତିଆରି କରିବାକୁ ଚେଷ୍ଟା କରି ସେଥିରେ ସଫଳ ମଧ୍ୟ ହୋଇଥିଲା । ପରେ ୌ ଘର ପଛପଟେ ୍ଗୁପ୍ତରେ ଏକ ବନ୍ଧୁକ ତିଆରି କାରଖାନା ବସାଇଲା । ବନ୍ଧୁକ ପାଇଁ ଆବଶ୍ୟକ କାଠ ଆଣି ତାକୁ ସାନବଡ ବିଭିନ୍ନ ସାଇଜରେ କାଟୁଥିଲା । ବନ୍ଧୁକ ପାଇଁ ଅନ୍ୟାନ୍ୟ ସରଞ୍ଜାମ ବଜାରରୁ କିଣି ଛୋଟ ବଡ ବିଭିନ୍ନ ସାଇଜର ଦେଶୀ ବନ୍ଧୁକ ତିଆରି କରୁଥିଲା । ଲୋକମାନଙ୍କ ନଜର ହଟେଇବା ପାଇଁ ଦିନରେ ଚାଷକାମ କରୁଥିବା ବେଳେ ରାତିହେଲେ ବନ୍ଧୁକ ଧରି ଗାଁ ପାଖ ଜଙ୍ଗଲକୁ ଶିକାର ପାଇଁ ଯାଉଥିଲା । କେବଳ ସେତିକି ନୁହେଁ ଆଖପାଖ ଅଚଂଳରେ ଥିବା ଶିକାରୀ ମାନଙ୍କୁ ମଧ୍ୟ ବନ୍ଧୁକ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଥିଲା । ତେବେ ଏ  ସଂପର୍କରେ ଭାପୁର ଫାଣ୍ଡିର ଏଏସଆଇ ରେବତୀ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇଥିଲେ । ପରେ ତାଙ୍କ ଠାରୁ ଖବର ପାଇ ସଦର ଥାନା ପୁଲିସ ସେଠାରେ ଚଢାଉ କରିଥିଲେ ।  ପୁଲିସ ଶ୍ରୀ ବେହେରାଙ୍କୁୁ ଗିରଫ କରିବା ସହ ସେଠାରୁ  ୩ ଟି ଅଧାଗଢା ଦେଶୀ ବନ୍ଧୁକ ସହ ବିଭିନ୍ନ ସାଇଜର ପାଇପ୍, ହାତୁଡି ଫାର୍ସା, ଟେଷ୍ଟର, ସ୍କ୍ରୁ ଡାଇଭର, କଟର, ବ୍ଲେଡ, ଡ୍ରିଲ ମେସିନ, ପ୍ଲାସ, ସେଲୋ ଟେପ, କରତ, ସ୍କେଲ, ବିଭିନ୍ନ ସାଇଜର ସୀସା, କାଠକଟର ମେସିନ ଆଦି ଜବତ କରିଛନ୍ତି । ଏ ସଂପର୍କରେ ସଦର ଥାନାରେ ୯୭୩/୨୪ ଏକ ମାମଲା ରୁଜୁ କରି ଅଭିଯୁକ୍ତି ଶ୍ରୀ ବେହେରାକୁ କୋର୍ଟଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ଦୀପକ ଲେଙ୍କା ସୂଚନା ଦେଇଛନ୍ତି ।