ବାସ୍ତବତା ଓ କଳ୍ପନାର ଦୁନିଆ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ବାସ୍ତବତା ଓ କଳ୍ପନାର ଦୁନିଆ ବାବଦରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।

ବାସ୍ତବତା ଓ କଳ୍ପନାର ଦୁନିଆ ସବୁବେଳେ ଭିନ୍ନ  । ଶାନ୍ତି ହେଉଛି କଳ୍ପନା ଏବଂ ଏହା ସଂପୂର୍ଣ୍ଣ ମାନସିକତା ଉପରେ ହିଁ ନିର୍ଭର କରେ  । ଦୁଃଖକୁ ଜଣେ ଯଦି କ୍ଷଣକ ବୋଲି ଭାବି ନିଏ ତାହା ହେଲେ, ତା' ନିକଟରେ ଦୁଃଖ ବୋଲି ଆଉ କିଛି ନଥାଏ  । ସୁଖକୁ ବି ବହୁ ବ୍ୟକ୍ତି ଦୁଃଖ ବୋଲି ଭାବନ୍ତି  । କାରଣ ସେମାନଙ୍କର ଲୋଭର ଅନ୍ତ ନାହିଁ  । ଲୋଭ ହିଁ ଅଶାନ୍ତିର କାରଣ  । ଯେତେ ଭଲରେ ଥିଲେ ବି ଲୋଭ, ମଣିଷକୁ ଶାନ୍ତିରେ ରଖେଇ ଦିଏ ନାହିଁ  । ମଣିଷ ଆଖି ବୁଜିଲେ ଆଖି ଖୋଲିବା ଠାରୁ ଅଧିକ ହଜାର ଗୁଣ ଦେଖିପାରେ  । ଆଖି ଖୋଲାଥିବା ବେଳେ ମଣିଷ ଆଗରେ ନିଜ ଘରଟି ଯଦି ଦେଖାଯାଏ, ତେବେ ଆଖି ବନ୍ଦ କରିଦେଲେ ହଜାରେ ମାଇଲ୍ ଦୂରରେ ଥିବା ହିମାଳୟ ବି ଦେଖାଯିବ  । ସେଥିପାଇଁ ଆଖି ଖୋଲିବା ଆଉ ଆଖି ବନ୍ଦ କରିବା ଏହା ଭିତରେ ପାର୍ଥକ୍ୟକୁ ବୁଝିବା ଆବଶ୍ୟକ  । ଆଖି ଖୋଲି ଦେଖିବା ହେଉଛି ଏକ ବାସ୍ତବ ଦୁନିଆ  । ଆଖି ବୁଜି ଚିନ୍ତା କରିବା ହେଉଛି ଏକ କାଳ୍ପନିକ ଦୁନିଆ  । ବାସ୍ତବତା ଏବଂ କଳ୍ପନା ମଧ୍ୟରେ ଏତେ ଦୂରତା ରହିଛି ଯେ ଏ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା କେବେ ବି ସମ୍ଭବ ନୁହେଁ  । ବାସ୍ତବ ଦୁନିଆରେ ମଣିଷ ପାଦରେ ଚାଲେ, ହାତରେ କାମ କରେ  । କିନ୍ତୁ କଳ୍ପନାର ଦୁନିଆରେ ହାତ, ଗୋଡର ଆବଶ୍ୟକତା ନଥାଏ  । ମନ ହିଁ ମନୁଷ୍ୟକୁ ଆକାଶରେ ଉଡାଏ  । ଡେଣା ନଥାଇ ଯାନବାହାନ ନଥାଇ ମଣିଷ ମୁହୂର୍ତ୍ତକ ମଧ୍ୟରେ କାହିଁ କେତେ ଦୂରର କଥା ଭାବିନଏ ଯେ ତାକୁ ମାପିବା ଅସମ୍ଭବ  । ଏତେ କଥା ଭାବିନିଏ ଯେ ସେସବୁର ହିସାବ ରଖିବା ଅସମ୍ଭବ  । ଆଉ ଯାହାର ମନ ଯେତେ ଅଧିକ ଅଶାନ୍ତ ସେ ସେତେ ଅଧିକ ଅବାନ୍ତର ସ୍ୱପ୍ନ ଦେଖି ବିବ୍ରତ ହୁଏ  । କିଛି ସ୍ୱପ୍ନକୁ ପୂରଣ କରିବା ପାଇଁ ମରିଚୀକା ପଛରେ ଧାଇଁଲା ଭଳି ବ୍ୟର୍ଥ ଚେଷ୍ଟା ସବୁ କରେ  । ଏଭଳି ବ୍ୟର୍ଥ ଚେଷ୍ଟାରେ ଶ୍ରମ ନଷ୍ଟ ହୁଏ, ସମୟ ନଷ୍ଟ ହୁଏ କିନ୍ତୁ ସଫଳତା ମିଳେ ନାହିଁ  । ତେଣୁ ମନୁଷ୍ୟ ବିଚାରଶକ୍ତି ପ୍ରୟୋଗ କରି ନିଜର ସାମର୍ଥ୍ୟ ଏବଂ ଶକ୍ତି ଅନୁସାରେ ଯୋଜନା ବଦ୍ଧ ଭାବରେ ଲକ୍ଷ୍ୟ ଧାର୍ଯ୍ୟ କରିବା ଉଚିତ୍  । ବିନା ଲକ୍ଷ୍ୟରେ ଧାଇଁଲେ ଶେଷରେ କେଉଁ ଏକ ଗାତରେ ପଡି ଛଟପଟ ହେବା ବ୍ୟତୀତ ଆଉ କିଛି ଲାଭ ହେବ ନାହିଁ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର  ।