ଜଳସେଚନ ବିଭାଗରେ ନାହାନ୍ତି ସ୍ଥାୟୀ ଏସ୍ଡିଓ
କାକଟପୁର: ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଜଳସେଚନ ବିଭାଗ ସବଡିଭିଜନ କାର୍ଯ୍ୟାଳୟ । ଏହି ସବଡ଼ିଭିଜନରେ ବର୍ଷକୁ ୩ ଶହ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ହେଉଥିବା ବେଳେ, ଆଜକୁ ୧୬ ମାସ ଧରି ଏହି ସବ୍ଡିଭିଜନରେ ନାହାନ୍ତି ସ୍ଥାୟୀ ଏସ୍ଡିଓ ।
କାକଟପୁର ଜଳସେଚନ ବିଭାଗ ସବଡିଭିଜନର ଭାରପ୍ରାପ୍ତ ଏସ୍ଡିଓ ଦାୟିତ୍ୱରେ ଥିବା ଶ୍ରୀ ସାହୁ ବିଭାଗୀୟ ଇଆଇସି ଯନ୍ତ୍ରୀମୁଖ୍ୟଙ୍କ କାର୍ଯ୍ୟାଳୟରେ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି । କିନ୍ତୁ ତାଙ୍କୁ ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଓ ନିମାପଡା ଅର୍ଥାତ ଦୈତ୍ୟ ଜଳସେଚନ ବିଭାଗ ସବଡିଭିଜନର ଭାରପ୍ରାପ୍ତ ଏସଡିଓ ଭାବେ ଦାୟିତ୍ୱ ଦିଆଯାଇଛି କ୍ଷ ଜଣେ ଅଧିକାରୀଙ୍କୁ ୩ ଗୋଟି କାର୍ଯ୍ୟାଳୟର ଦାୟିତ୍ୱ ଦେବା ପଛରେ ବିଭାଗର କି ରହସ୍ୟ ରହିଛି ତାହା କର୍ମଚାରୀ ମହଲରେ ଚର୍ଚ୍ଚା ହେଉଛି । ଉପରୋକ୍ତ ସବଡିଭିଜନରେ ଶହ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟଚାଲିଥିବା ବେଳେ, ଭାରପ୍ରାପ୍ତ ଏସଡିଓ ନିୟମିତ ଉପରୋକ୍ତ ସବଡିଭିଜନ କାର୍ଯ୍ୟାଳୟକୁ ଆସୁନଥିବା ବେଳେ ପ୍ରତି କାର୍ଯ୍ୟର ଇନସିଆଲ ଲେବୁଲ ନେବା ବେଳେ, ଉପସ୍ଥିତ ରହିବା ଏବଂ ପ୍ରତି କାର୍ଯ୍ୟ ଗୁଡିକର ସାଇଡ ସୁପରଭିଜନ କରିବା ତାଙ୍କ ପକ୍ଷେ କିପରି ଆଉ କେଉଁ ସମୟରେ ସମ୍ଭବ ହୋଇପାରୁଛି ତାହା ତଦନ୍ତ ସାପେକ୍ଷ । ନିମାପଡା ଜଳସେଚନ ବିଭାଗ ସବଡିଭିଜନର ଏକ ସରକାରୀ ଜିପ୍ ଥିବାବେଳେ, କାକଟପୁର ଜଳସେଚନ ବିଭାଗ ସବଡିଭିଜନକୁ ସରକାର ଭଡ଼ାରେ ଏକ ଗାଡ଼ି ଯୋଗାଇ ଦେଇଛନ୍ତି । ଭାରପ୍ରାପ୍ତ ଏସଡିଓ ନିୟମିତ ଅଫିସ ଆସୁନଥିଲେ ମଧ୍ୟ ଉଭୟ ସବ୍ଡିଭିଜନର ୨ଟି ଗାଡ଼ି ବ୍ୟବହାର କରୁଥିବା ଏବଂ ତେଲ ଖର୍ଚ୍ଚ ବାବଦରେ ମାସିକ ହଜାର ହଜାର ଟଙ୍କା ବିଲ ହେଉଥିବା କାଗଜ ପତ୍ର କହୁଛି । ମାତ୍ର କର୍ମଚାରୀମାନେ କହୁଛନ୍ତି ବାବୁଙ୍କର ଅଫିସ ଆସିବାରେ ସେମିତି କିଛି ଧରାବନ୍ଧା ନୀତି ନିୟମ ନାହିଁ । ସରକାରୀ ଅନୁଯାଇ ଅଫିସ କାର୍ଯ୍ୟ ଶେଷ ହେବା ପରେ ଯେଉଁ ସବ୍ଡିଭିଜନର ଗାଡି ସେ ସବ୍ଡିଭିଜନର ଗ୍ୟାରେଜରେ ରହିବା କଥା, କିନ୍ତୁ କାକଟପୁର ସବ୍ଡିଭିଜନକୁ ଭଡ଼ାରେ ମିଳିଥିବା ଗାଡି ଆଜକୁ ୧୬ ମାସ ଧରି କାକଟପୁର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ନରହି କେଉଁଠି ରହୁଛି ତାହାର ଏକ ତଦନ୍ତ ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । ଅପର ପକ୍ଷରେ ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଅଭିଯୋଗ କରିବାକୁ ଆସି ଏସ୍ଡିଓଙ୍କୁ ନପାଇ ବାରମ୍ବାର ଫେରିବା ପରେ ଯଦିବା କେତେବେଳେ କେମିତି ଚାଷୀଙ୍କ ସହ ଏହି ଭାରପ୍ରାପ୍ତ ଏସଡିଓଙ୍କ ସାକ୍ଷାତ ହୋଇଯାଉଛି ତେବେ ଚାଷୀ ଯିବା ପରେ ଏସଡିଓ ତଳିଆ କର୍ମଚାରୀଙ୍କ ମୋବାଇଲକୁ ଚେକ କରିବା ସହିତ ଚାଷୀ କିପରି ଜାଣିଲେ ସେ ଆସିଛନ୍ତି ବୋଲି କର୍ମଚାରୀଙ୍କୁ କୈଫତ ତଲବ କରୁଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଏହି ଭାରପ୍ରାପ୍ତ ଏସଡିଓଙ୍କ କାର୍ଯ୍ୟକାଳ ମଧ୍ୟରେ ଉପରୋକ୍ତ ସବ୍ଡିଭିଜନରେ ହୋଇଥିବା ସମସ୍ତ ଉନ୍ନୟନ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ସହ ଉଭୟ ସବଡ଼ିଭିଜନର ଗାଡି କେତେ କିମି କେଉଁ କାର୍ଯ୍ୟ ପାଇଁ କେଉଁ ଅଞ୍ଚଳ ବୁଲିଛି ଏ ବାବଦରେ କେତେ ତେଲ ଖର୍ଚ୍ଚ ହୋଇଛି ଉକ୍ତ ଲକ୍ ବୁକ୍କୁ ଜବତ କରି ତଦନ୍ତ କରିବାକୁ ଚାଷୀ ଓ କେତେକ ଠିକାଦାର ଦାବି କରିଛନ୍ତି ।