ଶିକ୍ଷକଙ୍କୁ ନିଆରା ବିଦାୟ ସମ୍ବର୍ଦ୍ଧନା
ବିଶୋଇ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଟେଣ୍ଟିଦୁମା ଗାଁରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଆରା ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷକଙ୍କୁ ବାଜା ବଜେଇ ପାରମ୍ପାରିକ ନାଚ ଗୀତରେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଗ୍ରାମବାସୀ । ସରକାରୀ ଟେଣ୍ଟିଦୁମା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପିତାମ୍ବର ପାତ୍ର ଦୀର୍ଘ ୯ ବର୍ଷ ଧରି ଶିକ୍ଷାଦାନ କରିବା ସହ ଏଠାରୁ ହିଁ ଅବସର ଗ୍ରହଣ କରିଥିଲେ । ଦୀର୍ଘ ୯ ବର୍ଷର ଶିକ୍ଷକତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ, ଉତ୍ତମ ଚରିତ୍ର ଗଠନ ଦିଗରେ ବେଶ ଗୁରୁତ୍ୱ ଦେଉଥିଲେ । ସେ ତାଙ୍କର ନିଜର ଆଚରଣ ଓ ବ୍ୟବହାରକୁ ନେଇ ସମସ୍ତଙ୍କ ପ୍ରିୟ ପାତ୍ର ପାଲଟିଥିଲେ । ତେବେ ରବିବାର ସକାଳେ ଗ୍ରାମବାସୀ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ । ଯୁବ ସମାଜସେବୀ ମୋହନ ଚରଣ ମୁର୍ମୁ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ବିତିଯାଇଥିବା ମୁହୂର୍ତ୍ତକୁ ମନେ ପକାଇଥିଲେ । ତାଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥଲେ । ସମସ୍ତଙ୍କ ସହଯୋଗ ଆଉ ଶ୍ରଦ୍ଧା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପାତ୍ର ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନେ ବିଭିନ୍ନ ଉପହାର ପ୍ରଦାନ କରିଥିଲେ ।