ଜଳିଗଲା ୩ ବଖରା ଘର ସମେତ ଟଙ୍କା, ବାଇକ ଓ ଗହଣା
କାକଟପୁର : ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ଉଦୟକଣୀ ଗ୍ରାମ ୫ ନମ୍ବର ୱାର୍ଡରେ ବିଳମ୍ବିତ ରାତ୍ରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମ ର କପିଳା କାଣ୍ଡି ତାଙ୍କ ପରିବାର ସହ ରୁହନ୍ତି, ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ନିଜ ଝିଅର ବିବାହଘର ପାଇଁ ଅଳଙ୍କାର, ଲୁଗା, କିଛି ଟଙ୍କା ଏକ ବାକ୍ସରେ ରଖିଥିଲେ । ମାତ୍ର ବିଳମ୍ବିତ ରାତ୍ରରେ ହଟାତ ତାଙ୍କ ୩ ବଖରା ଝାଟି ଚାଳ ଘର ଜଳିବାକୁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା, ସେ ତାଙ୍କ ପରିବାର ସହିତ ନିଜ ଜୀବନ ବଞ୍ଚାଇ ବାକୁ ବାହାରକୁ ପଳେଇ ଆସିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କୋଣାର୍କ ଦମକଳ କେନ୍ଦ୍ରକୁ ଜଣାଇଥିଲେ ଦମକଳ ଗାଡି ଆସି ପହଞ୍ଚିଲା ବେଳକୁ କପିଳାଙ୍କର ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏହି ଘରେ ଆସବାବ ପତ୍ର, ଝିଅ ବାହାଘର ପାଇଁ ଥିବା ଗହଣା, ଲୁଗାପଟା, ଟଙ୍କା ପଇସା, କିଛି କାଗଜପତ୍ର, ଏକ ସ୍କୁଟି ଓ ସାଇକେଲ ମଧ୍ୟ ଜଳି ପୋଡି ନଷ୍ଟ ହୋଇଯାଇଛି । ଏ ବାବଦରେ ଅସ୍ତରଙ୍ଗ ତହସିଲ ପକ୍ଷରୁ ସ୍ଥାନୀୟ ରାଜ୍ୱସ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ ତହସିଲ ତରଫରୁ ଏକ ପଲିଥିନ ଯୋଗାଇ ଦିଆଯାଇଛି, ଆଗକୁ ତଦନ୍ତ ରିପୋର୍ଟ ଆସିବା ପରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା କହିଥିବା ବେଳେ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।