ଆଇଆଇଟି ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ
ଭୁବନେଶ୍ୱର/ଜଟଣୀ : ଭୁବନେଶ୍ୱର ସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ନିକଟରେ ଜାତୀୟ ବିଜ୍ଞାନ ଦିବସ ପାଳନ କରିଛି । ଯାହା ଭାରତୀୟ ପଦାର୍ଥବିଜ୍ଞାନୀ ଏବଂ ନୋବେଲ ପୁରସ୍କାର ବିଜେତା ସାର୍ ସିଭି ରମଣଙ୍କ ଦ୍ୱାରା ରମନ ପ୍ରଭାବ (ଇଫେକ୍ଟ)ର ଉଦ୍ଭାବନକୁ ସ୍ମରଣ କରିଥିଲା । ଗତ ୨୮ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ବିକଶିତ ଭାରତ ପାଇଁ ବିଜ୍ଞାନ ଏବଂ ନବସୃଜନରେ ବିଶ୍ୱ ନେତୃତ୍ୱ ପାଇଁ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବା' ।
ଭୁବନେଶ୍ୱରର ଜୀବନ ବିଜ୍ଞାନ ସଂସ୍ଥାନର ନିଦେ୍ର୍ଦଶକ ଡକ୍ଟର ଦେବାଶିଷ ଦାଶ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ "ସାମୁଦ୍ରିକ ଜୈବପ୍ରସ୍ପେକ୍ଟିଂ: ସ୍ଥାୟୀ ଭବିଷ୍ୟତ ପାଇଁ ନବସୃଜନ’ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସେ ଔଷଧ ଆବିଷ୍କାର, ସ୍ଥାୟୀ କୃଷି ଏବଂ ଶିଳ୍ପ ଜୈବ ପ୍ରଯୁକ୍ତିବିଦ୍ୟା ପାଇଁ ସାମୁଦ୍ରିକଜୀବରୁ ଜୈବ ସକ୍ରିୟ ଯୌଗିକ ପାଇଁ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଭାରତର ଗ୍ରୀନ୍ ଇକୋନୋମିକ୍ ବିଷୟରେ ମଧ୍ୟ ଅବତାରଣା କରିଥିଲେ । ନମୁନା ସଂଗ୍ରହ, ମାଇକ୍ରୋବାୟ ଚରିତ୍ରୀକରଣ, ମେଟାବୋଲୋମିକ୍ସ ଏବଂ ଜୈବ ସୂଚନା ବିଜ୍ଞାନ ସହିତ ଏହି କ୍ଷେତ୍ରରେ ଜୀବନ ବିଜ୍ଞାନ ପ୍ରତିଷ୍ଠାନ ଦ୍ୱାରା କରାଯାଉଥିବା ଗବେଷଣା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ କରମଲକର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ଯୋଗାଯୋଗ ଏବଂ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଆଇଆଇଟି ଭୁବନେଶ୍ୱରର ଡିନ୍ ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।