ବିଶ୍ୱସ୍ତରୀୟ ହେବ ନୀଳମାଧବ କ୍ଷେତ୍ର : ମୋହନ

ଭୁବନେଶ୍ୱର: ନୀଳମାଧବ କ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ  । ଏଥିପାଇଁ ଖୁବଶୀଘ୍ର ନୂଆ ଡିପିଆର ପ୍ରସ୍ତୁତ ହେବ  । ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଥିବାବେଳେ ସେମାନେ ବିକାଶର ବାର୍ତ୍ତାବହ ସାଜିବେ  । କଣ୍ଟିଲୋ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ସେ କହିଛନ୍ତିଯେ, ସର୍ବଧର୍ମର ସମନ୍ୱୟ କ୍ଷେତ୍ର ଭାବେ ନୟାଗଡ ଜିଲ୍ଲା ପ୍ରସିଦ୍ଧି ଲାଭ କରିଛି  । ଓଡଗାଁର ରଘୁନାଥଜୀଉଙ୍କଠାରୁ ଆରମ୍ଭ କରି ଶରଣକୁଳର ଲଡୁବାବାଙ୍କ ପର୍ଯ୍ୟନ୍ତ ଏବଂ ମା’ ଦକ୍ଷିଣକାଳୀଙ୍କଠାରୁ ଆରମ୍ଭ କରି ନୀଳମାଧବଙ୍କ ପର୍ଯ୍ୟନ୍ତ; ବୈଷ୍ଣବ, ଶୈବ, ଶାକ୍ତ ଧର୍ମର ନିଦର୍ଶନ ଏଠାରେ ଦେଖିବାକୁ ମିଳେ । ଜନଜାତିଙ୍କ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ଧର୍ତୀ ଆବା ଜନଜାତୀୟ ଗ୍ରାମ ଉକôର୍ଷ ଯୋଜନା’ ଅଧୀନରେ ଅନେକ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଓଡିଶାର ୨୭ ଜିଲ୍ଲାର ୭ ହଜାର ୬୬୭ ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି  ।
ଜଙ୍ଗଲ ଜମି ଅଧିକାର ଆଇନ୍ ବଳରେ ରାଜ୍ୟର ୮ଟି ବିଶେଷ ଅନୁନ୍ନତ ଜନଜାତି ବା ବର୍ଗଙ୍କୁ ବସବାସର ଅଧିକାର ଦେଇ ଓଡିଶା ଦେଶରେ ରେକର୍ଡ କରିଛି  । ଆଦିବାସୀ ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରାଯାଇଛି  । ଜନଜାତି ଭାଇ ଭଉଣୀମାନେ ଆମ ବିକାଶର ବାର୍ତ୍ତାବହ ହେବେ  । ଏଠାରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିଅମ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି  । ସେହିପରି ସାଇନ୍ସ ପାର୍କ ଏବଂ ସାଇନ୍ସ ସେଣ୍ଟର ପାଇଁ ୬ କୋଟି ଟଙ୍କା, ପଠାଣି ସାମନ୍ତ ସ୍ମୃତି ପୀଠ ପାଇଁ ମଧ୍ୟ ୨ କୋଟି ଟଙ୍କା ଦିଆଯାଇଛି  । ଏହି ଅଞ୍ଚଳରେ ଏସିଆର ସର୍ବବୃହତ ଉଷ୍ମ ପ୍ରସବଣ କେନ୍ଦ୍ର ପାଇଁ ମଧ୍ୟ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି  । ଏହି ଅଞ୍ଚଳକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ଆମେ ଉଦ୍ୟମ କରିବୁ  । ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ  । ଜିଲ୍ଲାପାଳଙ୍କୁ ମଧ୍ୟ ପୁନର୍ବାର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଦଶ ଦିଆଯାଉଛି  । ଏହି ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେବେ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସୁସ୍ଥ ସମାଜ, ସୁସ୍ଥ ପରିବେଶ, ସୁଖୀ ଓ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ  ।