ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାର ସମୀକ୍ଷା: ବ୍ଲକ ସାମାଜିକ ସମୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ 

 ଛତ୍ରପୁର : ଛତ୍ରପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦର ଭାରପ୍ରାପ୍ତ ସିଡିଓ ବିଜୟ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଡଃ ରବିନ୍ଦ୍ର ନାଥ ମଲାଣ, ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ବିଡିଓ ସଂମ୍ବିତ ସଂଗ୍ରାମଜିତ ସାହୁ, ଆସିଷ୍ଟାଣ୍ଡ ଇଞ୍ଜିିନିୟର ଲଗ୍ନଜିତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୨୦୨୪-୨୫ ଆର୍ଥିକ ବର୍ଷର ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୪ ଠାରୁ ୩୧ ମାର୍ଚ୍ଚ ୨୦୨୫ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟର ସମୀକ୍ଷା କରିବା ସହ ଯେଉଁ ପଞ୍ଚାୟତ ଗୁଡିକରେ ସମସ୍ୟା ଦେଖାଦେଇଛି, ସେ ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ନିଦେ୍ର୍ଦଶ ଦେବା ସହ ସମସ୍ତ କାର୍ଯ୍ୟ ଗୁଡିକ ସଠିକ୍ ଭାବେ କିପରି କାର୍ଯ୍ୟକ୍ଷମ ହେଇପାରିବ ସେଥିନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପ୍ରାରମ୍ଭରେ ଛତ୍ରପୁର ବ୍ଲକର ଏପିଓ ସନ୍ତୋଷିନୀ ପାତ୍ର ଗତ ବର୍ଷର ବିବରଣୀ ପାଠ କରିଥିଲେ । ଏହାସହ ୨୦୨୪-୨୫ ଆର୍ଥିକ ବର୍ଷର ବିବରଣୀ ପ୍ରଦାନ କରିବା ସହ ୧୮ଟି ପଞ୍ଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାବଦରେ ୧୫୪.୭ ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିବାବେଳେ ଏଥିନିମନ୍ତେ ୨୧୪ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ୧୯୬ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବାବେଳେ ୧୮ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ୧୮ ପଞ୍ଚାୟତରେ ଚାଲିଥିବା ପ୍ରକଳ୍ପ ମଧ୍ୟରୁ ୬ ପଞ୍ଚାୟତରେ ଗୋଟିଏ ବି ପ୍ରକଳ୍ପ କାମ ଶେଷ ହୋଇନାହିଁ । ଅଣକୁଶଳୀ ବାବଦରେ ୧୨୦.୪ ଲକ୍ଷ ଟଙ୍କା ଏବଂ ଅର୍ଦ୍ଧକୁଶଳୀ ବାବଦରେ ୩.୮୮ଲକ୍ଷ ଟଙ୍କା ଓ ସାମଗ୍ରିକ ବାବଦରେ ୩୦.୪୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି । ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୨୭୨ଟି ଜବକାର୍ଡ ପ୍ରଦାନ କରାଯାଇଥିବାବେଳେ ୧୫୩୭୩ ଜବକାର୍ଡଧାରୀ ମାନେ ସକ୍ରିୟ ରହିଛନ୍ତି  । ସେଥିମଧ୍ୟରୁ ୧୯୪୦୯ ଶ୍ରମିକ ସକ୍ରିୟ ଭାବେ ରହି କାର୍ଯ୍ୟ କରିଛନ୍ତି । ୨୦୨୪-୨୫ ଆର୍ଥôକ ବର୍ଷରେ ୧୪୧୩୭୯ ଶ୍ରମ ଦିବସ ସୃଷ୍ଟି ହୋଇଛି । ୨୨୫ଟି ପରିବାରକୁ ୧୦୦ ଦିନ କାମ ପାଇଥିବା ସୂଚନା ମିଳିଛି । ବ୍ଲକ ସାମାଜିକ ସମୀକ୍ଷକ କୌଣସି କାମ ଠିକ କରୁନାହାନ୍ତି କି କାର୍ଯ୍ୟାଳୟ ମଧ୍ୟ ସଠିକ୍ ଭାବେ ଆସୁନଥିବା ନେଇ ବିଡିଓ ବିରକ୍ତି ପ୍ରକାଶ କରିଥିଲେ । କୌଣସି ଅଡିଟ ମଧ୍ୟ ଠିକ ଭାବେ କରୁନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଭାରପ୍ରାପ୍ତି ସିଡିଓ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।  ପଞ୍ଚାୟତରେ କୌଣସି ଅଡିଟ କାମ କିମ୍ବା ଗ୍ରାମସଭାରେ ସମିତିସଭ୍ୟାଙ୍କୁ ଡକାଯାଉନଥିବା ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନି ସେଠୀ ଅଭିଯୋଗ ଆଣିଥିଲେ । ବ୍ଲକରେ ଯେଉଁ ସବୁ ବିଦ୍ୟାଳୟରେ କୋଠା ମରାମତି କାମ ଆବଶ୍ୟକ, ତାହା ଅବଗତ କରାଇବାକୁ କୁହାଯାଇଛି । ଏହି ବୈଠକରେ ବ୍ଲକର ଜନପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ଲଗ୍ନଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।