ଜୋର ଧରୁଛି ସିନାପାଲିକୁ ଏନ୍ଏସି ମାନ୍ୟତା ଦାବି
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଏନ୍ଏସି ଘୋଷଣା ନ ହେବାରୁ ଏହି ଅଞ୍ଚଳରେ ରାଜନୈତିକ ତାତି ଜୋର ଧରିଛି । ଏବଂ ଆଗାମୀ ଦିନରେ ସିନାପାଲିକୁ କେମିତି ଏନଏସି ମାନ୍ୟତା ମିଳିିବ, ସେ ନେଇ ଏକ ସିନାପାଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳବାସୀ କହିବା ଅନୁସାରେ, ଏହି କିଛିଦିନ ମଧ୍ୟରେ ଓଡିଶା ସରକାର ଦୁଇପର୍ଯ୍ୟାୟରେ ମୋଟ ୨୮ଗୋଟି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କଲେ, କିନ୍ତୁ ଦୁର୍ଭାଗ୍ୟର କଥା ନୂଆପଡା ଜିଲ୍ଲା ସିନାପାଲିକୁ ଏନ୍ଏସି କରିବା ପାଇଁ ବହୁଦିନର ନ୍ୟାର୍ଯ୍ୟ ଦାବିକୁ ସରକାର ବିଚାରକୁ ନ ନେଇ ଏନ୍ଏସି ଘୋଷଣା ନ କରିବାରୁ ଅଞ୍ଚଳବାସୀ ଦୁଃଖିତ ଓ ମର୍ମାହତ ହୋଇ ପଡିଛନ୍ତି । ଛତିଶଗଡ ରାଜ୍ୟ ସୀମାନ୍ତ ଉପାନ୍ତ ଅଞ୍ଚଳରେ ସିନାପାଲି ପଞ୍ଚାୟତ ସମିତି ସଦର ମହକୁମା ଅବସ୍ଥିତ । ଏଠାରେ ପୁଲିସ ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସ୍କୁଲ କଲେଜ, ପୋଷ୍ଟ ଅଫିସ ଏବଂ ଅଞ୍ଚଳର ବ୍ୟବସାୟିକ ପେଣ୍ଠସ୍ଥଳ ରୁପେ ସିନାପାଲି ପରିଗଣିତ ହୋଇଛି । ଆଜି ଗୋଟିଏ ସହରାଞ୍ଚଳ ଘୋଷଣା ପାଇଁ ଯାହାକିଛି ନିୟମାବଳୀର ଦରକାର ସେସବୁ ଏଠାରେ ରହିଛି । ୨୦୨୧ ଜନଗଣନା ଅନୁସାରେ ଜନସଂଖ୍ୟା ଦୃଷ୍ଟିକୋଣରୁ ସିନାପାଲି ସହିତ ଆଉ ତିନି ଚାରୋଟି ଗ୍ରାମକୁ ମିଶାଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନ ସେସବୁ ଗ୍ରାମ ଗୁଡିକ ସିନାପାଲି ସହିତ ମିଶି କଲାଣି, ତଥାପି ସିନାପାଲି ସହରାଞ୍ଚଳ ହୋଇପାରୁ ନାହିଁ । ଏଠି ପରିମଳ, ସ୍ୱଚ୍ଛତା, ପିଇବା ପାଣି ବ୍ୟବସ୍ଥା ସହରାଞ୍ଚଳ ପରି ହେଉଛି । ସିନାପାଲି ଗ୍ରାମ ପଞ୍ଚାୟତ ପକ୍ଷେ ଏସବୁ ସମାଧାନ ଅସମ୍ଭବ ହୋଇପଡୁଛି । ସିନାପାଲିକୁ ଉପେକ୍ଷା କରି କାହିଁକି ଏନ୍ଏସିର ମାନ୍ୟତା ଦେଉନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଏ ନେଇ ସିନାପାଲି ଅଞ୍ଚଳବାସୀ ସିନାପାଲିକୁ ଏନ୍ଏସି ଘୋଷଣା ପାଇଁ ସରକାରଙ୍କ ଠାରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି । ଅନ୍ୟପକ୍ଷରେ ଶୁଣିବାକୁ ମିଲୁଛି ଯେ, ସିନାପାଲିକୁ ଏନ୍ଏସି ଘୋଷଣା କରିବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଦେଇଥିବା ତଥ୍ୟରେ କିଛି ତ୍ରୁଟି ଥିବାଯୋଗୁଁ ସିନାପାଲି ଏନ୍ଏସି ଘୋଷଣା ହୋଇପାରିନାହିଁ । ଏବେ ଦେଖିବାର ଅଛି କାହାର ଚେଷ୍ଟା ଫଳରେ ସିନାପାଲି ଏନ୍ଏସି ମାନ୍ୟତା ପାଇବ ବୋଲି ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି ।