ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ଆସିଲା ୨୨ ମେସିନ
ଏଥର ଓଡ଼ିଶାରେ ରୋବଟ୍ ଲିଭାଇବ ଭୟଙ୍କର ନିଆଁ
ଭୁବନେଶ୍ୱର, ୨୯ା୧୦ : ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ଓଡ଼ିଶାକୁ ଆସିଲା ୨୨ଟି ରୋବଟ୍ ମେସିନ୍ । ଏଥର ରୋବଟ ଲିଭାଇବ ଭୟଙ୍କର ନିଆଁ । କାରଣ କୌଣସି ସ୍ଥାନରେ ଭୟଙ୍କର ନିଆଁ ଲାଗିଗଲେ ସବୁ ଛାରଖାର କରିଦେଇଥାଏ । ସେପରି ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁନଥିବା ବେଳେ କର୍ମଚାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଚ୍ ପାଲଟିଥାଏ । ହେଲେ ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ୍ ମେସିନ୍ । ଏହାର ନାଁ ହେଉଛି ଫାୟାର ଫାଇଟିଂ ରୋବୋଟିକ୍ ମନିଟର । ଓଡିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା ନିମନ୍ତେ ଏପରି ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପୂନ୍ନ ରୋବଟକୁ ବ୍ୟବହାର କରାଯାଉଛି ।
ସୂଚନା ଯୋଗ୍ୟଯେ, ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଫାୟାରଷ୍ଟେସନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅଗ୍ନିଶମ ଡିଜି ସୁଧାଶୁଂ ଷଢ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍ ମନିଟରକୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇଛି ନିଆଁ ଲିଭାଇବାର କୌଶଳ । ଯେଉଁ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟୁଛି, ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇ ପାରୁନାହିଁ । ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏହି ରୋବଟ କିନ୍ତୁ ନିଆଁ ଭିତରେ ପଶିବ ଓ ତତ୍କ୍ଷଣାତ ନିଆଁ ଲିଭାଇବ । ଜଣେ ଅଗ୍ନିଶମ କର୍ମଚାରୀ ଏହାର ରିମୋଟକୁ ନିୟନ୍ତ୍ରଣ କରିବେ । ଏହି ରୋବଟ ଭିତରେ ପାଣି ପଶିବ । ନିଆଁ ଲାଗିଥିବା ସ୍ଥାନକୁ ଯାଇ ଉକ୍ତ ମେସିନଟି ପାଣି ସ୍ପେ କରିବ । ଏଥିସହ ଅତ୍ୟଧିକ ଉତ୍ତାପରେ ବି ମନିଟରକୁ ଥଣ୍ଡା ରଖିବାକୁ ବ୍ୟବସ୍ଥା କରାଯାଇଛି । ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି । ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି । ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା କ୍ଲିୟର ଅଛି ନା ନାହିଁ ତାହା ଜଣାପଡିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡେ ଧୂଆଁମୟ ହୋଇଗଲେ ଆଗରେ କ’ଣ ଅଛି ତାହା ଜଣାପଡିବ । ୧କିମି ଦୂରରୁ ଏହାକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରିହେବ । ସହରର ଗଳି କନ୍ଦିରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସେଠାରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ, ଏହି ରୋବଟ କିନ୍ତୁ ଅନାୟସରେ ଘଟଣାସ୍ଥଳରେ ପହଞ୍ଚିପାରିବ । ଏହାଦ୍ୱାରା କେତ ମାତ୍ରାରେ ଅଗ୍ନିକାଣ୍ଡ କ୍ଷୟକ୍ଷତିରୁ ବର୍ତ୍ତି ହେବ ତଥା କେତେ ସହଜରେ ନିଆଁ ଲିଭାଇ ହେବ ତାହା ଆଗାମୀ ଦିନରେ ଜଣାପଡିବ ।