ଜାତୀୟ ସାମୁଦ୍ରିକ ଦିବସ ପାଳିତ
ପାରାଦୀପ: ପାରାଦୀପ ବନ୍ଦର ମେରାଇନ ସାଇଟ କାର୍ଯ୍ୟାଳୟ ପରିସରସ୍ଥିତ ଚୱେଟ ବେସିନ ଠାରେ ୬୨ତମ ଜାତୀୟ ସାମୁଦ୍ରିକ ଦିବସ ପାଳିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବର ମୂଖ୍ୟ ଅତିଥି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦ୍ ପାରାଦୀପ ଟିମର ଅଭିନବ ଓ ବ୍ୟବସାୟୀକ ରଣନୀତି ପାଇଁ ଦେଶର ପ୍ରମୂଖ ବନ୍ଦର ମାନଙ୍କ ଭିତରେ ପଣ୍ୟ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ଏକ ନମ୍ବର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଥିବା ପ୍ରକାଶ କରିଥିଲେ । ଯଦିଓ ପାରାଦୀପ ବନ୍ଦର ଅନ୍ୟ ବନ୍ଦର ଭଳି ବଜାର ପରିସ୍ଥିତିପ୍ରତି ସମ୍ବେଦନଶୀଳ,ସମଗ୍ର ମାର୍ଟାଇମ କ୍ଷେତ୍ର ପାରାଦୀପ ବନ୍ଦରକୁ ଏକ ରୋଲ ମଡେଲ ଭାବରେ ଦେଖୁଛି । ପାରାଦୀପ ବନ୍ଦରର ସବୁଜ ପରିବହନ ପଦକ୍ଷେପ ଉପରେ ମୂଖ୍ୟ ଅତିଥି ଆଲୋକପାତ କରି କହିଛନ୍ତିି, ସବୁଜ ଟଗ୍ କାଯ୍ୟୟାନ୍ୱୟନ ପାଇଁ ଟେଣ୍ଡର ଖୁବ ଶୀଘ୍ର ପ୍ରସ୍ତୁତ ହେବ । ପାରାଦୀପ ବନ୍ଦର କୂଳରୁ ଜାହାଜକୁ ବିଦୁ୍ୟତ ଯୋଗାଣ କାର୍ଯ୍ୟକାରୀ କରିବା ଭଲ ଭାବରେ ଚାଲିଛି । ଜାହାଜ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ପାଇଁ ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ଆଗାମୀ ସିଗନାଲ ଷ୍ଟେସନ ପାରାଦୀପ ବନ୍ଦରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଉତ୍ସବର ସମ୍ମାନ୍ନୀତ ଅତିଥି ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ନିଳାଭ୍ର ଦାସଗୁପ୍ତା କହିଛନ୍ତି, ବିଶ୍ୱ ବାଣିଜ୍ୟ ଓ ଜାହାଜ ଚଳାଚଳରେ ନିରନ୍ତରତା ସାରା ବିଶ୍ୱରେ ବିକାଶ ଆଣିଥାଏ । ଜାତୀୟ ସାମୁଦ୍ରିକ ଦିବସ ପାଳନ ଆମକୁ ଏହା ମନେ ପକାଇ ଦିଏ ଯେ, ଭବିଷ୍ୟତ ଆଗାମୀ ଯୁବପିଢ଼ୀଙ୍କର । ଏହା ଯୁବ ନାବିକମାନଙ୍କୁ ସେମାନଙ୍କ ବରିଷ୍ଠ ମାର୍ଗ ଦର୍ଶନରେ ଅଭିଜ୍ଞ ସାମୁଦ୍ରିକ ବୃତିଗତ ହେବାକୁ ପ୍ରେରଣା ଦେଇଥାଏ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦରର ଟ୍ରାଫିକ ପରାମର୍ଶଦାତା ଏ.କେ.ବୋଷ, ଡେପୁଟି କଞ୍ଜରଭେଟର (ଉପ ସଂରକ୍ଷକ) କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁ ପ୍ରମୂଖ ମଧ୍ୟ ଜାତୀୟ ସାମୁଦ୍ରିକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହିି ଅବସରରେ ଭାରତୀୟ ସାମୁଦ୍ରିକ ଶିଳ୍ପରେ ଅକ୍ଲାନ୍ତ ସେବା ଓ ଚମକ୍ରାର ଅବଦାନ ପାଇଁ ପାରାଦୀପ ବନ୍ଦରର ପୂର୍ବତନ ଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ରଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ଜାତୀୟ ସାମୁଦ୍ରିକ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ପହଁରା, ହେଭି ଲାଇନ ଥ୍ରୋ ଓ ରଶୀ ଚଢ଼ିବା ଭଳି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉତ୍ସବ ଆରମ୍ଭରେ ହାରବର ମାଷ୍ଟର ଇନ୍ଦ୍ରାଣୀ ମୂଖାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସାମୁଦ୍ରିକ ଇଞ୍ଜିନିୟର ବବୁଲ ସିକଦାର ।