ସ୍ଥାୟୀ ମରାମତି ବଦଳରେ ତାଳିପକା କାମ 

 ବନ୍ତ : ବନ୍ତ-ବରପଦାରୁ ଆଗରପଡା ରାସ୍ତା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ କଂକ୍ରିଟ ରାସ୍ତା ଗୁଡ଼ିକ ଫାଟି ଦୁଇ ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ, ବିଭାଗ ପକ୍ଷରୁ ଏହାର ସ୍ଥାୟୀ ମରାମତି କରାଯିବା ପରିବର୍ତ୍ତେ ବର୍ତ୍ତମାନ ତାଳିପକା କାମ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ପର୍ତ୍ତ ବିଭାଗ ଅଧୀନସ୍ଥ ବରପଦା ରୁ ଆଗରପଡ଼ା ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା ଓ ଏହି ରାସ୍ତାରେ କେନ୍ଦୁଝର, ବାଲେଶ୍ୱର ଜିଲ୍ଲାକୁ ସଂଯୋଗ କରିଥିବାରୁ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡି ଚଳାଚଳ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ପୂର୍ଭ ବିଭାଗ ବିଭାଗ ପକ୍ଷରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଞ୍ଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା । ତେବେ ୧୦ବର୍ଷ ପରେ ବି ଏ ରାସ୍ତା ପୁନଃ ନିର୍ମାଣ ନ ହୋଇ କେବଳ ମରାମତିରେ ଚାଲିଛି ।
ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଗତ୨୦୨୩ ସେପ୍ଟେମ୍ବର ମାସରେ ଏହାର ମରାମତି କରାଯାଇଥିଲା । ମରାମତିକୁ ୬ମାସ ନ ପୂରୁଣୁ ରାସ୍ତା ତାର ପୂର୍ବ ଅବସ୍ଥାକୁ ଫେରିଆସିଥିଲା । ବର୍ତ୍ତମାନ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଓ ଜାମବଣୀ ଛକରେ ଥିବା କଂକ୍ରିଟ ରାସ୍ତା ଫାଟି ମଝିରୁ ଦୁଇଫାଳ ହୋଇଯିବା ସହ ବିପଦକୁ ଆମନ୍ତ୍ରଣ କରୁଛି । ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୁର୍ଘଟଣା ଘଟିବ ଏଥିରେ ସନେ୍ଦହ ନାହିଁ । ବରପଦାରୁ ଆଗରପଡ଼ା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ୨୦୨୧ ଜୁନ ମାସରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି । ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ । ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ମତକୁ ଇତି ମଧ୍ୟରେ ୪ବର୍ଷ ବିତିବାକୁ ବସିଛି । କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗ ତରଫରୁ ଗ୍ରହଣ କରାଯାଇନାହିଁ  । ରାସ୍ତା ଅବସ୍ଥା ଶୋଚନୀୟ ହେବାରୁ ବିଭିନ୍ନ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ରୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ଖାଲି ମରାମତିରେ ବିଭାଗ ସୀମିତ ରଖୁଛି । ମରାମତି ସରୁଛି, କିନ୍ତୁ ଏହି ମରାମତିକୁ ମାସେ କିମ୍ବା ଦୁଇ ମାସ ନପୂରୁଣୁ ତାହା ପୁଣି ତାର ପୂର୍ବ ଅବସ୍ଥାକୁ ଫେରି ଆସୁଛି । ରାସ୍ତା ସ୍ଥାୟୀ ମରାମତି ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏହି ରାସ୍ତାକୁ ୭ ମିଟର ଓସାର କରିବା ସହ ନୂଆ ରାସ୍ତା ନିର୍ମାଣ ପାଇଁ ୪୪ କୋଟି ଟଙ୍କାର ଯୋଜନା ଅଟକଳ ମଞ୍ଜୁର ପାଇଁ ଦିଆଯାଇଛି । ଏହି ଅଟକଳ ମଧ୍ୟରେ ଛୋଟ ପୋଲ ଓ ଜମି ଅଧିଗ୍ରହଣ କରାଯିବ । ଅଟକଳ ମଞ୍ଜୁର ହେବାପରେ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭହେବାର ଦେଇଥିବା ସୂଚନାକୁ ଇତି ମଧ୍ୟରେ ୩ବର୍ଷରୁ ଅଧିକ ସମୟ ବିତିଛି । ଅଧିକାରୀଙ୍କ ପ୍ରତିଶ୍ରୁତିରେ ଆଗରପଡ଼ା-ବରପଦା ରାସ୍ତା ବନ୍ଧା ପଡ଼ିଥିବା ବେଳେ, ବାରମ୍ବାର ଅଭିଯୋଗ ଓ ଧାରଣା ଦେବାର ଚେତାବନୀ ଦେବା ପରେ ବିଭାଗ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ହେବା ପରିବର୍ତ୍ତେ ଏହାର ପୁନଃଶ୍ଚ ତାଳିପକା କାମ ଆରମ୍ଭ ହୋଇଯାଇଛି । ଯାହାକି ଏହି ରାସ୍ତା ଦେଇ ଯାଉଥିବା ୩ ଗୋଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ତାଳି ପକାଇ ଠିକାଦାର ଯନ୍ତ୍ରୀ ମାଲେ ମାଲ ହେଉଥିବା ବେଳେ, ସାଧାରଣ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଛି । କେବେ ଏହି ରାସ୍ତାର ସ୍ଥାୟୀ ନିର୍ମାଣ ହେବ ଦେଖିବାକୁ ବାକିରହିଲା ।