ଓଡ଼ିଶାରେ "ଆୟୁଷ୍ମାନ'ର ଶୁଭାରମ୍ଭ କଲେ ନଡ୍ଡା ଓ ମୋହନ

ଭୁବନେଶ୍ୱର/କଟକ: ରାଜ୍ୟରେ ଲାଗୁ ହେଲା ବହୁ ପ୍ରତିକ୍ଷୀତ ‘ଆୟୁଷ୍ମାନ ଭାରତ’ । ଓଡ଼ିଶା ବିକାଶ ଇତିହାସରେ ଯୋଡିହୋଇଛି ଆଉ ଏକ ନୂଆ ଫର୍ଦ୍ଦ । କଟକ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି । ଏବେ ଓଡ଼ିଶାରେ ଏହି ଯୋଜନା ଲାଗୁ ହେବା ଦ୍ୱାରା ରାଜ୍ୟରେ ପ୍ରାୟ ୩.୫୧କୋଟି ଲୋକ ନିଶୁଳ୍କ ଚିକିତ୍ସା ସେବା ପାଇପାରିବେ ବୋଲି ନଡ୍ଡା କହିଛନ୍ତି । ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ । ଓଡ଼ିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି । ତେଣୁ, ଓଡ଼ିଶାରେ ଏହି ଯୋଜନା ଲାଗୁ ହୋଇପାରିଲା । ତେବେ ଏହା ଇନ୍ସୁରାନ୍ସ ନୁହେଁ ବରଂ ଆସୁ୍ୟରାନ୍ସ ଯୋଜନା ବୋଲି ନଡ୍ଡା ନିଜ ଅଭିଭାଷଣରେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଲେ ଯେ ଓଡିଶା ବିକାଶ ଇତିହାସରେ ଆଜି ଆଉ ଏକ ଅଧ୍ୟାୟ ଯୋଡ଼ିହୋଇଛି । ଗତ ପ୍ରାୟ ୬ ବର୍ଷ ହେଲା ରାଜନୈତିକ କାରଣରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଥିବା ଏହି ଐତିହାସିକ ଯୋଜନା ଆଜି ଆରମ୍ଭ ହେଉଛି । ଏହି ଯୋଜନାରେ ଆଜି ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଉପକୃତ ହେବେ । ପ୍ରତି ପରିବାରଙ୍କୁ ସାରାଦେଶର ବିଭିନ୍ନ ରାଜ୍ୟରେ ତାଲିକାଭୁକ୍ତ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ସେହିପରି ୭୦ ବା ତା’ଠୁ ଅଧିକ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ । ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ । ପୂର୍ବରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ଅତିରିକ୍ତ ୬ଲକ୍ଷ ଲୋକ କାର୍ଡ ପାଇବେ । ଏ ସମସ୍ତ ମିଳିତ ଯୋଜନାରେ ୩କୋଟି ୫୨ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଆଜି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାର ଲୋକମାନଙ୍କ ପାଇଁ କିପରି ଉପାଦେୟ ହୋଇପାରିବ ସେ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା ଏବଂ ବିଭିନ୍ନ ବିଧାୟକଙ୍କ ସମେତ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରପକ୍ଷେ କାର୍ଯ୍ୟକ୍ରମ ଅବସରରେ କଟକରେ ୭ ମହଲା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପେଡିଆଟ୍ରିକ୍ସ ବା ଶିଶୁ ଭବନର ନୂଆ ବିଲ୍ଡିଙ୍ଗ ଓ ଡାକ୍ତରମାନଙ୍କ ପାଇଁ ହଷ୍ଟେଲର ଉଦ୍ଘାଟନ କରାଯାଇଛି । ଏହି ନୂଆ ବିଲ୍ଡିଙ୍ଗରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ହୋଇଛି । ଏଥିରେ ୧୪୦ଟି ଆଇସିୟୁ ବେଡ୍ ରହିଛି । ସେହିପରି ହଷ୍ଟେଲରେ ପ୍ରାୟ  ୧୮୦ ଜଣ ରେସିଡେଣ୍ଟ ଡାକ୍ତର ରହିପାରିବେ । ଏହା ସହିତ ଭୁବନେଶ୍ୱରର ରାଜ୍ୟ ମେଡିକାଲ କର୍ପୋରେସନ କ୍ୟାମ୍ପସ୍ରେ  ଏକ ମାଇକ୍ରୋ-ବାୟୋଲୋଜିକାଲ୍ ଲାବୋରେଟୋରୀର ମଧ୍ୟ ଉଦ୍ଘାଟନ କରାଯାଇଛି । ଏହା ଦ୍ୱାରା ଖାଦ୍ୟ ଓ ପାଣି ସାମ୍ପଲ ଗୁଡିକର ପରୀକ୍ଷା କରାଯାଇ, ତା’ର ମାନ ନିର୍ଦ୍ଧାରଣ କରାଯାଇ ପାରିବ । ଏହି ଅବସରରେ ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶା ଗଠନରେ ସହଯୋଗ କରି ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ  ଓଡ଼ିଶା ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।