ଜାତୀୟସ୍ତରୀୟ ପ୍ରଦର୍ଶନୀରେ କେନ୍ଦୁଝର ଷ୍ଟଲକୁ ପ୍ରଶଂସା  : ବଡି ଓ ମାଣ୍ଡିଆକୁ ନେଇ ସ୍ୱାବଲମ୍ବୀ ହେଉଛନ୍ତି ମହିଳା

 କେନ୍ଦୁଝର: ଜାତୀୟସ୍ତରୀୟ ଖଣିମନ୍ତ୍ରୀଙ୍କ ସମ୍ମିଳନୀରେ ଆୟୋଜିତ ଡିଏମଏଫ୍ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କେନ୍ଦୁଝରରୁ ଅଂଶଗ୍ରହଣ କରିଥିବା ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଶଂସାର ପାତ୍ର ହୋଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ, କେନ୍ଦୁଝର ପକ୍ଷରୁ ଏହି ଷ୍ଟଲଗୁଡିକରେ ପ୍ରଦର୍ଶିତ ହୋଇଥିଲା । ଯାହାକୁ କେନ୍ଦ୍ର ଖଣି ମନ୍ତ୍ରୀ ଜି.କିଷନ ରେଡ୍ଡୀ ଓ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପରିଦର୍ଶନ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହ ଆନ୍ଧ୍ରପ୍ରଦେଶର ଖଣି ମନ୍ତ୍ରୀ କୋଲୁ ରବିନ୍ଦ୍ର ମଧ୍ୟ ଡିଏମଏଫ କେନ୍ଦୁଝର ଷ୍ଟଲ୍ ଗୁଡ଼ିକୁ ପ୍ରଦର୍ଶନ କରି ପ୍ରଶଂସା କରିଥିଲେ । ଡିଏମଏଫ କେନ୍ଦୁଝର  ଦ୍ୱାରା କେନ୍ଦୁଝର ଜିଲ୍ଲାର ଟସର ଚାଷକୁ ଗୁରୁତ୍ୱ ପ୍ରଦାନ କରାଯାଇ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ, କେନ୍ଦୁଝରର ବନଦୁର୍ଗା ଟସର ସମିତି ଓ ନୱାପଡ଼ିଆ ଟସର ବିକାଶ ସମିତିର ଟସର ବସ୍ତ୍ରକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହି ଉତ୍ପାଦ ଗୁଡ଼ିକୁ ଭଗାମୁଣ୍ଡା ଟସର ସିଲ୍କ ପାର୍କ ମାଧ୍ୟମରେ ବିକ୍ରି କରି ସ୍ୱାବଲମ୍ବୀ ହେବା ବିଷୟରେ ଅବଗତ ହେବା ସହ ଡିଏମଏଫ୍ ର ଏହି ପ୍ରୟାସର ପ୍ରଶଂସା କରିଥିଲେ । ସେହିପରି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟଲକୁ ବୁଲିବା ସହ ମାଣ୍ଡିଆ ପ୍ରସ୍ତୁତି ବିଭିନ୍ନ ଖାଦ୍ୟପଦାର୍ଥ, ପାରମ୍ପରିକ ଖାଦ୍ୟର ପସରା, ବଡିକୁ ନେଇ ମହିଳାମାନଙ୍କ ସ୍ୱାବଲମ୍ବୀ ହେବା ଦେଖି ଆନନ୍ଦ ପ୍ରକାଶ କରିଥିଲେ । କେନ୍ଦ୍ର ଖଣି ମନ୍ତ୍ରୀ ଓ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମହିଳାଙ୍କ ଉଦ୍ୟମୀ ଭୂମିକା ସହ ସ୍ଥାନୀୟ ସାମଗ୍ରୀକୁ ଜାତୀୟସ୍ତରରେ ପହଞ୍ଚାଇବାରେ ଥିବା ପ୍ରୟାସକୁ ପ୍ରଂଶସା କରିଥିଲେ । ଏହି ଅବସରରେ କେନ୍ଦୁଝରର ସ୍ୱୟଂ ସହାୟକ ମହିଳା ମନ୍ତ୍ରୀ ଓ ଅତିରିକ୍ତ ସଚିବଙ୍କୁ ସେମାନଙ୍କ ଷ୍ଟଲରେ ପାରମ୍ପରିକ ଭାବରେ ସ୍ୱାଗତ ଜଣାଇଥିଲେ ।