ଜାନୁଆରି ୧ରେ ହିନ୍ଦୁରାଷ୍ଟ୍ର ମହାଧିବେଶନ
ତାଳଚେର: ଆସନ୍ତା ଜାନୁଆରୀ ୧ ତାରିଖରେ ତାଳଚେର ଦେଉଳବେଡା ସ୍ଥିତ ଦୁର୍ଗା ମଣ୍ଡପ ପଡ଼ିଆ ଠାରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନ ଅନୁଷ୍ଠିତ ହେବ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଉକ୍ତ ଅଧିବେଶନରେ ଯୋଗ ଦେଇ ଦିବ୍ୟ ସନେ୍ଦଶ ପ୍ରଦାନ କରିବେ । ସମଗ୍ର ରାଜ୍ୟରୁ ଶହ ଶହ ସଂଖ୍ୟାରେ ସାଧୁ ସନ୍ଥ, ମଠ ମନ୍ଦିରର ମହନ୍ତ, ବିଭିନ୍ନ ମତ ପନ୍ଥର ସନ୍ୟାସୀମାନେ ଏଥିେରେ ଯୋଗ ଦେବେ । ତାଳଚେର, ଅଭିବକ୍ତ ଢେଙ୍କାନାଳ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ସନାତନୀ ହିନ୍ଦୁ ମାନେ ଯୋଗ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର । ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ତାଳଚେର ପକ୍ଷରୁ ଦେଉଳବେଡା ଡିସିଆଇ କ୍ଲବ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ମିଶ୍ର ଏହି ସୂଚନା ଦେଇଥିଲେ । ଜଗତ ଗୁରୁଙ୍କର ତାଳଚେର ଆଗମନ ପାଇଁ ପାଇଁ ଚୁଡାନ୍ତ ପ୍ରସ୍ତୁତି ସରିଛି । ଟ୍ରେନ ଯୋଗେ କଡା ସୁରକ୍ଷା ବଳୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଳଚେର ଷ୍ଟେସନ ଠାରେ ଜାନୁଆରୀ ୧ ତାରିଖ ଦିନ ଭୋର ୪ଟାରେ ପଦାର୍ପଣ କରିବେ । ସେଠାରେ ତାଙ୍କୁ ବିପୁଳ ସ୍ୱାଗତ କରାଯିବା ସହ ହାଣ୍ଡିଧୂଆ ନିବାସୀ ଡଃ ସଂଜୀବ ରାଉତଙ୍କ ନିବାସରେ ଅବସ୍ଥାନ କରିବେ । ଅପରାହ୍ନ ୨ଟା ୩୦ରେ ଘଣ୍ଟପଡା ପଂଚାୟତର ବାଘମରା ଠାରେ ଶ୍ରୀଶଙ୍କରାଚାର୍ଯ୍ୟ ଗୋଶାଳାର ଲୋକାର୍ପଣ କରିବା ସହ ଅପରାହ୍ନ ୩ ଟାରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନରେ ଯୋଗ ଦେଇ ଦିବ୍ୟ ସନେ୍ଦଶ ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସଂଯୋଜକ ପର୍ଶୁରାମ ବାରିକଙ୍କର ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ରାଜ୍ୟ ପୀଠ ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ, ଅନୁଗୋଳ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ ସମେତ ସଂଗଠନ ସଚିବ ବରୁଣ ସାହୁ, କାର୍ଯ୍ୟକ୍ରମର ସହପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସ୍ୱାଗତ ସମିତିର ସମ୍ପାଦକ ବୃନ୍ଦାବନ ବେହେରା, ଆଦିତ୍ୟ ଜିଲ୍ଲା ସଭାପତି ଲଳିତ ମୋହିନ ଦାଶ, ଆନନ୍ଦ ବାହିନୀର ସ୍ମିତା ପଟ୍ଟନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ତାଳଚେରବାସୀ ତଥା ହିନ୍ଦୁ ସମାଜ ଏହି ମହାଧିବେଶନରେ ଉପସ୍ଥିତ ରହି ଜଗତ ଗୁରୁ ଶଙ୍କରାଚାର୍ଯ୍ୟଙ୍କର କୃପାଲାଭ କରିବା ପାଇଁ ନିବେଦନ କରିଥିଲେ ।