ଜାପାନରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ସମୀକ୍ଷା
ନବରଙ୍ଗପୁର : ଆସନ୍ତା ଜୁନ୍ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାପାନ ହାଇସ୍କୁଲ ବିଜ୍ଞାନ କାର୍ଯ୍ୟକ୍ରମ ‘ସାକୁରା'ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ମେଧାବୀ ଛାତ୍ରୀ ସମୀକ୍ଷା ମାଳି ମନୋନୀତ ହୋଇଛନ୍ତି । ଏ ସମ୍ପର୍କରେ ଓସେପା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁଙ୍କ ନିକଟକୁ ଆସିଥିବା ଚିଠି ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।
ସମୀକ୍ଷାଙ୍କ ସହ ଭୁବନେଶ୍ୱର ବିଜେବି କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ନିହାରିକା ସାହୁ ମଧ୍ୟ ଜାପାନ ଯିବେ ବୋଲି ଜଣାପଡ଼ିଛି । ଜାପାନର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରତି ଯୁବଗୋଷ୍ଠୀଙ୍କୁ ଧାରଣାଦେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରକାଶ ଯୋଗ୍ୟ ଯେ, ସମୀକ୍ଷା ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲରେ ପଢୁଥିଲେ । ସେ ୨୦୨୪ ମାଟ୍ରିକ୍ ପରୀକ୍ଷାରେ ୯୪.୫ ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର୍ ହୋଇଥିଲେ । ବର୍ତ୍ତମାନ ସମୀକ୍ଷା କର୍ଚ୍ଚାମାଳ ସରକାରୀ ଏସଏସଡି ମାଧ୍ୟମିକ ସ୍କୁଲ୍ରେ +୨ ବିଜ୍ଞାନରେ ପଢ଼ୁଛନ୍ତି । ଏଥିରେ ଜାପାନର ସର୍ବୋତ୍ତମ ବୈଜ୍ଞାନିକ ପ୍ରଯୁକ୍ତି ବିଦ୍ୟା ଦେଖିବା ସହ ବୈଜ୍ଞାନିକମାନଙ୍କୁ ଭେଟିବା ନେଇ ସୁଯୋଗ ରହିଛି । ଏଥିରେ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନକୌଶଳ ଓ ବିଜ୍ଞାନ, ସଂସ୍କୃତି ତଥା ଭାବର ଆଦାନ ପ୍ରଦାନ କରାଯାଇଥାଏ । ଜାପାନ ଗସ୍ତରେ ଯାଉଥିବାରୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମୀକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ, ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ପ୍ରମୁଖ ଉପସ୍ଥିତ ଥିଲେ ।