ଇମ୍ଫା କଲୋନୀରେ ଲହଡ଼ି ମାରୁଛି ପାଣି : ଭିଟାମାଟି ହରାଇ ବର୍ଷାରେ ଭିଜୁଛନ୍ତି ବିସ୍ଥାପିତ
ଯାଜପୁର/ଦାନଗଦୀ : ପ୍ରଥମେ ବିସ୍ଥାପିତ ହେବାକୁ କୁନ୍ଥୁ କୁନ୍ଥୁ ହେଉଥିଲେ । ବିସ୍ଥାପନ ନୀତିରେ ସଂଶୋଧନ ସହ ୨୫ ଅଗଷ୍ଟ ୨୦୨୩ ରେ ଜେସିଡ଼ିଏଲ ଠାରେ ହୋଇଥିବା ତ୍ରିପାକ୍ଷିକ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଗଲେ ବିସ୍ଥାପିତ ହେବୁ ବୋଲି ଅଡ଼ି ବସିଥିଲେ । ବାରମ୍ବାର ଆଲୋଚନା ଏବଂ ପର୍ଯ୍ୟାଲୋଚନା ଭିତରେ ଏକ ପ୍ରକାର ଭିଟାମାଟି ଛାଡ଼ିବାକୁ ଅମଙ୍ଗ ହୋଇଥିବା ପରିବାର ଶେଷରେ ମଧ୍ୟମ/କ୍ଷୁଦ୍ର ଶିଳ୍ପକୁ ସହଯୋଗର ହାତ ବଢାଇବାକୁ ଭିଟାମାଟି ଛାଡ଼ିଥିଲେ । ହେଲେ ଭିଟାମାଟି ଛାଡ଼ିଥିବା ବିସ୍ଥାପିତ ଆଜି ବର୍ଷାରେ ଭିଜୁଥିବା ବେଳେ ସେମାନଙ୍କ ଦୁଖ ବୁଝିବାକୁ କେହି ନାହାନ୍ତି । କଲୋନୀରେ ରହୁଛନ୍ତି ସତ କିନ୍ତୁ କଲୋନୀ ନିର୍ମାଣ ସଂପୂର୍ଣ୍ଣ ହୋଇନଥିବାରୁ କିଏ ଝାଟିମାଟି କରି ତ କିଏ ପଲାମାରି ବା କିଏ ଅନ୍ୟଟି ଭଡ଼ା ନେଇ ରହୁଛନ୍ତି । ଏଭଳି ସ୍ଥିତିରେ ଲଘୁଚାପ ଜନିତ ବର୍ଷା ବିସ୍ଥାପିତ ପରିବାରଙ୍କ ଦୁଖ ବଢାଇଦେଇଛି । କଳିଙ୍ଗନଗର ଶିଳାଞ୍ଚଳ ସ୍ଥିତ ଯଖପୁରା ପଞ୍ଚାୟତ କୁଡୁମୀ ସାହିର ୪୪ ପରିବାର, ଚାନ୍ଦିଆ ପଞ୍ଚାୟତ କଚେରୀ ଗାଁର ୩୫ ପରିବାର ନୂଆ ନିର୍ମାଣ ହେଉଥିବା ଇମ୍ଫା କାରଖାନା ପାଇଁ ତିନିମାସ ହେଲା ବିସ୍ଥାପିତ ହୋଇ ଲଗାଣ ବର୍ଷାରେ ନାହିଁ ନ ଥିବା ହୀନସ୍ଥା ହେଉଛନ୍ତି । ଏହି ପରିବାରର ଲୋକମାନଙ୍କୁ ସବୁ ସୁବିଧା ଯୋଗାଇ ଭଲରେ ରଖିବା ପାଇଁ ନୂଆ ବିସ୍ଥାପିତ କଲୋନୀ ମାନତିରା ପଞ୍ଚାୟତର ମନୋହରପୁର ଠାରେ ଥଇଥାନ କରାଯାଇଛି । କଳିଙ୍ଗନଗର ବିସ୍ଥାପିତ ଓ ଥଇଥାନ ପ୍ୟାକେଜ ଅନୁସାରେ ୧୮ବର୍ଷରୁ ଊଦ୍ଧ୍ୱର୍ ୫୬ଜଣ ନୂଆ ପରିବାରକୁ ଇଡକୋ ପକ୍ଷରୁ ୪ ଡ଼ିସିମିଲ ଜାଗା ଓ ଇମ୍ଫା କମ୍ପାନୀ ପକ୍ଷରୁ ୨ଲକ୍ଷ ଟଙ୍କା ଘର ନିର୍ମାଣ କରି ରହିବା ପାଇଁ ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଇଡ଼କୋର ଜେସିଡିଏଲ ଦ୍ୱାରା ଯେଉଁ ଠିକାଦାର ଏହି କଲୋନୀ କାମ କରୁଛନ୍ତି ବିଳମ୍ବ ଏବଂ ନିମ୍ନମାନର କରି ଚାଲିଛନ୍ତି । ଫଳରେ ଏଯାବତ୍ କଲୋନୀ ଅଧୁରା ରହିଛି । କଲୋନୀର ଡ୍ରେନେଜ କାମ ହୋଇନାହିଁ । ମୁଖ୍ୟ ରାସ୍ତାର ଫାଟକ ଭାଙ୍ଗି ବାହାର ବର୍ଷା ଜଳକଲୋନୀର ଘର ଭିତରେ ପଶୁଛି । କିଛି ପରିବାର ଅଧା ଗଢ଼ା ହୋଇଥିବା ଘରେ ବହୁ ଦୟନୀୟ ଅବସ୍ଥାରେ ପରିବାର ଧରି ରହିବାକୁ ବାଧ୍ୟ ହୋଇଛନ୍ତି । ପ୍ଲଟ ଗୁଡିକ ଅତ୍ୟଧିକ ଗାଡ଼ ହୋଇଥିବାରୁ ଘର ଭିତରେ ବର୍ଷା ହେଲେ ଆଣ୍ଠୁଅ ପାଣି ଜମି ରହୁଛି । ରୋଷେଇ ବାସ କରି ହେଉନାହିଁ । ଭୋକ ଉପାସରେ ରହିବାକୁ ପଡୁଛି ଅନେକ ପରିବାରଙ୍କୁ । ରାତିରେ ଶୋଇବା ବି କଷ୍ଟସାଧ୍ୟ ହୋଇପଡ଼ିଛି । ଛୋଟ ଛୋଟ ଶିଶୁ ମାନେ ବର୍ଷା ପାଗରେ ପାଣି ଘେରରେ ରହି ଅସୁସ୍ଥ ହୋଇ ପଡୁଛନ୍ତି । କୁଡୁମି ସାହି ବାସିନ୍ଦାଙ୍କୁ ଏ ପର୍ଯ୍ୟନ୍ତ ଘର ଯୋଗାଇ ଦିଆଯାଇନାହଁ । ପାଚେରୀକୁ ଲଗାଇ ଖଣ୍ଡେ ଖଣ୍ଡେ ଟିଣ ପକାଇ ଅସ୍ଥାୟୀ ଭାବେ ବହୁ ଦୁଃଖ କଷ୍ଟରେ ରହୁଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଶିଶୁମାନଙ୍କ ପାଇଁ ନାହିଁ । ତେଣୁ ଶିଶୁମାନେ ପାଠ ପଢାରୁ ବଂଚିତ ହେଉଛନ୍ତି । ନୂଆ କଲୋନୀ ଠାରୁ ଯଖପୁରା ବିଦ୍ୟାଳୟ ୮ କିଲୋମିଟର କାରଣରୁ ପାଠ ପଢିବାକୁ ଯିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ଆଣିଛି । ଆଜି ପର୍ଯ୍ୟନ୍ତ କୌଣସି ପରିବାରକୁ ପଟ୍ଟା ଯୋଗାଇ ଦିଆଯାଇନାହିଁ । ତେଣୁ ବାସିନ୍ଦା, ଜାତିଗତ ପ୍ରଣାମ ପତ୍ର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆ ବିସ୍ଥାପିତ କଲୋନୀ ବାସୀନ୍ଦା ପିଲାମାନଙ୍କର ପାଠ ପଢା ଓ ଭବିଷ୍ୟତ ପାଇଁ ପଟ୍ଟା ନିହାତି ଆବଶ୍ୟକ ହୋଇଥିଲେ ବି ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ଉଦ୍ୟମ କରାଯାଉନି । ଗୋଟିଏ ନଳକୂଅରୁ ପାଣି ବ୍ୟବହାର ପାଇଁ ପର୍ଯ୍ୟାପ୍ତ ହେଉନାହିଁ ବୋଲି ହୋଇଛି ଅଭିଯୋଗ । ସବୁ ସୁବିଧା ମିଳିବ ଭଲରେ ରହିବେ ସ୍ୱପ୍ନ ଦେଖି ବିସ୍ଥାପିତ ହୋଇଥିବା ଜନଜାତି ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ବୋଲି କରିଛନ୍ତି ଅଭିଯୋଗ । ଇଡ୍କୋ, ଜେସିଡିଲ କି କମ୍ପାନୀ କର୍ତ୍ତୃପକ୍ଷ କେହି ସମସ୍ୟା କହିଲେ ଶୁଣିବାକୁ ନାହାନ୍ତି । ବର୍ଷା ଦିନ ଆହୁରି ଆଗକୁ ଅଛି, ଆଉ କେତେ ଦିନ ଜଳ ବନ୍ଦୀ ଓ ଅସ୍ୱାସ୍ଥ୍ୟକାର ପରିବେଶରେ ଜୀବନ କାଟିବେ ଇମ୍ଫା ବିସ୍ଥାପିତ ନୂଆ କଲୋନୀ ବାସିନ୍ଦା ବୋଲି ସେମାନଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି କେବେ ପଡ଼ିବ, ତାହା ଦେଖିବାର ବାକି ରହିଲା ।